ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା ଦଳ

ଭୁବନେଶ୍ୱର : ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଗତକାଲି ଯୋଗାଣ ମନ୍ତ୍ରୀ ପିଆଜ ଦର ବୃଦ୍ଧି ପାଇଁ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଥିଲେ। ଆଜି ବିଜେପି ଏହାର ଜବାବ ଦେବା ସହ ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କରିଛି। ଦର ଉପରେ ରାଜ୍ୟ ସରକାର ଲଗାମ ନ ଲଗାଇ କେନ୍ଦ୍ରକୁ ଦାୟୀ କରିବାକୁ ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି।

ରାଜ୍ୟ ଯୋଗାଣ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ଯୋଗାଣ ମନ୍ତ୍ରୀ ପିଆଜ ଦର କମ୍ କରିବା ପାଇଁ କୌଣସି ପଦକ୍ଷେପ ନ ନେଇ ଦର ଆହୁରି ଦୁଇ ମାସ ବଢ଼ିବ ବୋଲି କହି ଖାଉଟିଙ୍କ ମନରେ ଆତଙ୍କ ସୃଷ୍ଟି କରିଛନ୍ତି। ଏହା ଦ୍ବାରା ଅସାଧୁ ବେପାରୀଙ୍କୁ ଆଗାମୀ ଦୁଇ ମାସ ଯାଏ ଚଢ଼ା ଦରରେ ପିଆଜ ବିକ୍ରି କରିବା ପାଇଁ ମନ୍ତ୍ରୀ ସୁଯୋଗ ସୃଷ୍ଟି କରିଛନ୍ତି। ପିଆଜ ଦର ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଭାଗ ଅଧୀନରେ ଥିବା ମାର୍କେଟ୍‌ ଇଣ୍ଟେଲିଜେନ୍ସ ଓ ସାଧାରଣ ଯୋଗାଣ କ୍ଷେତ୍ର ଅଧିକାରୀମାନେ ବି ନିୟମିତ ଭାବେ ତାଙ୍କ କାର୍ଯ୍ୟ କରୁ ନାହାନ୍ତି।

୨୦୧୫ ମସିହାରେ ରାଜ୍ୟ ସରକାର ଆଳୁ ମିସନ୍ ପରି ପିଆଜ ମିସନ୍ ଆରମ୍ଭ କରିଥିଲେ। ରାଜ୍ୟରେ ପିଆଜ ଉତ୍ପାଦନ କରି ଖାଉଟିଙ୍କ ଚାହିଦା ପୂରଣ ଉଦ୍ଦେଶ୍ୟରେ ଏହି ମିସନ୍ ଆରମ୍ଭ ହୋଇଥିଲା। ଏହା ଭିତରେ ୫ ବର୍ଷ ବିତିଗଲାଣି। ମିସନ୍ କୁଆଡ଼େ ଗଲା ? ଏହା କାହିଁକି ସଫଳ ହୋଇପାରିଲାନି ? ୨୦୧୮-୧୯ ମସିହାରେ ରାଜ୍ୟରେ ୩.୭୩ ଲକ୍ଷ ଟନ୍ ପିଆଜ ଅମଳ ହୋଇଥିଲା। କିନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଓ ଅମଳ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ କମ୍ ମୂଲ୍ୟରେ ପିଆଜ ବିକ୍ରି କରିଥିଲା। ରାଜ୍ୟରେ ଏବେ ୧୨୮ରୁ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି। ପିଆଜ ଚାଷୀଙ୍କୁ ଋଣ ଦେବା ତ ଦୂରର କଥା, ଜମିକୁ ପାଣି ଓ ବିହନର ବ୍ୟବସ୍ଥା କରିପାରି ନ ଥିବାରୁ ପିଆଜ ଚାଷୀ ଆଜି ଚାଷ କରିବାକୁ ପଛଘୁଞ୍ଚା ଦେଉଛି। ପଆଜ ଚାଷୀଙ୍କ ଫସଲକୁ ବିକ୍ରି କରିବା ପାଇଁ ଯୋଗାଣ ମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। କେବଳ ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର