‘ରାଜ୍ୟରେ ବାବୁମାନଙ୍କ ଶାସନ ଚାଲିଛି’, ବିଜେଡି ଉପରେ ବର୍ଷିଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ

ମିଥ୍ୟା ପ୍ରତିଶ୍ରୁତି ଦେଇ ନବୀନ ବାବୁ ଭୋଟ୍‌ ହାତେଇଛନ୍ତି
କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ, ଜମି ଦୁର୍ନୀତିରେ ବିଜେଡି ନେତା ସଂପୃକ୍ତ

ଭୁବନେଶ୍ୱର : ଓଡ଼ିଶାରେ ସୁଶାସନ ବଦଳରେ କୁଶାସନ ଚାଲିଛି। ରାଜ୍ୟରେ ଶାସନ କରିବା ପାଇଁ ଓଡିଶାର ଜନତା ନବୀନ ବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ନବୀନ ବାବୁ ନୁହେଁ ସରକାରୀ ବାବୁମାନେ ଶାସନ କରୁଛନ୍ତି ବୋଲି ବିଜେପିର ନବନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆରୋପ ଲଗାଇଛନ୍ତି।

ପ୍ରଭାରୀ ଭାବେ ଦାୟିତ୍ବ ନେଲା ପରେ ଶ୍ରୀମତୀ ପୁରନ୍ଦେଶ୍ବରୀ ପ୍ରଥମ ଥର ପାଇଁ ଚାରି ଦିନିଆରେ ଓଡ଼ିଶା ଗସ୍ତରେ ଆସିଥିଲେ। ଦଳର କର୍ମକର୍ତ୍ତାମାନଙ୍କ ସହ ସାଂଗଠନିକ କାର୍ଯ୍ୟ ନେଇ ମାରାଥନ୍ ବୈଠକ କଲା ପରେ ଆଜି ନୂଆଦିଲ୍ଲୀ ଫେରିଯାଇଛନ୍ତି। ନୂଆଦିଲ୍ଲୀ ଯିବା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଶ୍ରୀମତୀ ପୁରନ୍ଦେଶ୍ବରୀ କହିଥିଲେ ଯେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି। କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାମାନଙ୍କର ସଂପୃକ୍ତି ରହିଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ଚାଷୀ ଋଣ କରାଇବା ନେଇ ବ୍ୟାପକ ଅର୍ଥ ହଡ଼ପ କରିଛନ୍ତି। ସେହିପରି ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାରୀଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ବିଜେଡିର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସଂପୃକ୍ତ ଥିଲା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସାମିଲ ଅଛନ୍ତି। ଏହା ବିଜେଡିର ଅସଲ ଚେହେରା ପଦାରେ ପକାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

ରାଜ୍ୟରେ ବିଜେଡି ସରକାର ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ କେବଳ ଭୋଟ ହାତେଇଥାଏ। ୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗଇବା ନେଇ ପ୍ରତିଶ୍ରୁତି ଦେଇଥିଲା। ପୁଣି ଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିଲା। ଏହା ସତ୍ତ୍ବେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଞ୍ଚିତ ରହିଛି। ସେହିପରି ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ୧୨୫୦ ପଞ୍ଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁ ନାହିଁ ଏବଂ ୧୫୦୦ ପଞ୍ଚାୟତରେ ପାଇପ ଲାଇନ ପହଞ୍ଚି ନାହିଁ। ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ୧୦ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇବା ନେଇ ଘୋଷଣା କରିଥିଲେ। ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କେତେ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ବିଜେପି ପ୍ରଭାରୀ ଆହ୍ବାନ ଦେଇଛନ୍ତି।

କେନ୍ଦ୍ରରେ ବିଜେପି ସରକାରର ସଫଳତା ବଖାଣି ଶ୍ରୀମତୀ ପୁର‌େନ୍ଦଶ୍ବରୀ କହିଥିଲେ ଯେ ଗତ ୬ ବର୍ଷରେ ବିଜେପି ସରକାର ଦେଶକୁ ସୁଶାସନ ଦେଇ ଆସୁଛି। ଦଳିତ, ଗରିବ ଓ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଜନହିତକର ଯୋଜନା ଲାଗୁ କରିଛନ୍ତି। ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ବିଜେପି କାର୍ଯ୍ୟ କରୁଛି ଓ ଜନକଲ୍ୟାଣ ଦିଗରେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରିଚାଲିଛି। ବିଜେପି କ୍ଷମତା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏଣୁ ଓଡ଼ିଶାର ଜନତା କୁଶାସନକୁ ଗାଦିରୁ ହଟାଇ ସୁଶାସନ ପାଇଁ ଆଗାମୀ ଦିନରେ ବିଜେପିକୁ ସୁଯୋଗ ଦେବା ନିମନ୍ତେ ସେ ଅନୁରୋଧ କରିଥିଲେ।

ବିଜେପି ପ୍ରଭାରୀ କହିଲେ ଯେ ବିଜେଡି ସହ ମିଶି କଂଗ୍ରେସ ଲୋକଙ୍କୁ ଭ୍ରମିତ କରୁଛି। କଂଗ୍ରେସର କିଛି ବିଧାୟକ ବିଜେଡି ସହ ମିଶିଥିବା ନେଇ ଖୋଦ୍ ତାଙ୍କ ଦଳର ବିଧାୟକମାନେ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର