ପଟାଙ୍ଗି/ଜୟପୁର: ବଦଳିଗଲା ରାଜନୈତିକ ସମୀକରଣ। ବଦଳିବ କି କୋଟିଆର ଭାଗ୍ୟ, ଭବିଷ୍ୟତ? ଗତ ୨୪ଘଣ୍ଟା ମଧ୍ୟରେ ଏମିତି ପ୍ରଶ୍ନ ମନରେ ବାରମ୍ବାର ଉଙ୍କି ମାରୁଛି। ଓଡ଼ିଆ ଅସ୍ମିତାର ବିଜୟ ହେବ ନା ଆନ୍ଧ୍ରର ବିସ୍ତାରବାଦୀ ନୀତିକୁ ଅଧିକ ବଳ ମିଳିବ? ଏମିତି ଅନେକ ପ୍ରଶ୍ନ କେବଳ କୌତୂହଳକୁ ବଢ଼ାଉ ନାହିଁ ଲମ୍ବା ତଥ୍ୟପୂର୍ଣ୍ଣ ବିତର୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଏହା ପଛର ବଡ଼ କାରଣ ହେଲା ପରିବର୍ତ୍ତିତ କ୍ଷମତା ଏବଂ କୂଟନୈତିକ ପରିସ୍ଥିତି।

Advertisment

ପ୍ରଥମଥର ପାଇଁ ଓଡ଼ିଶାରେ ଏକକ ସଂଖ୍ୟା‌ଗରିଷ୍ଠତା ହାସଲ କରିଛି ବିଜେପି। ଏହି ବଡ଼ ବିଜୟ ପଛର ପ୍ରମୁଖ ପ୍ରସଙ୍ଗ ଥିଲା ଓଡ଼ିଆ ଅସ୍ମିତା। ଅନ୍ୟପଟେ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଛି ବିଜେପି ନେତୃତ୍ବାଧୀନ ଏନ୍‌ଡିଏ। କୋଟିଆରେ ବାରମ୍ବାର ବିବାଦ ସୃଷ୍ଟି କରୁଥିବା ଆନ୍ଧ୍ରରେ ବି କ୍ଷମତା ପରିବର୍ତ୍ତନ ହୋଇଛି। ୱାଇଏସ୍‌ଆର କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଥିଲା ବେଳେ ବିବାଦର କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା ଆନ୍ଧ୍ରରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପି. ରାଜନ ଦୋରା ମଧ୍ୟ ପରାସ୍ତ ହୋଇଛନ୍ତି। ଏମିତି ଅନେକ କାରଣ ଏବେ କୋଟିଆ ପାଇଁ ଅନୁକୂଳ ହୋଇଛି ସତ। କିନ୍ତୁ ୬୦ବର୍ଷ ପୁରୁଣା କୋଟିଆ ବିବାଦ ଜୁନ୍‌ ୪ତାରିଖ ପରେ ନୂଆ ମୋଡ଼ ନେଇଛି। ଦୁଇ ରାଜ୍ୟର ନୂଆ ସରକାରଙ୍କ ଆଭିମୁଖ୍ୟ ଉପରେ ଏବେ କୋଟିଆବାସୀଙ୍କ ନଜର। କାରଣ ଉଭୟ ରାଜ୍ୟରୁ ସମାନ ସୁବିଧା ସହ ସୁଯୋଗ ଅଞ୍ଚଳବାସୀ ପାଉଛନ୍ତି। ପୂର୍ବଭଳି ଆଗକୁ ମଧ୍ୟ ଦୁଇ ରାଜ୍ୟର ସୁବିଧା ମିଳିବ ନା ଏଥିରେ କିଛି ଊଣା କିମ୍ବା ଅଧିକ ହେବ ତାହା କୋଟିଆବାସୀଙ୍କୁ ଚିନ୍ତାରେ ପକାଇଛି। ସେହିପରି ସୁପ୍ରିମକୋର୍ଟରେ ବିବାଦର ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନରେ କେଉଁ ରାଜ୍ୟର କେମିତି ପ୍ରତିକ୍ରିୟା ରହିବ କୋଟିଆବାସୀ ତାହାର ଆକଳନ ଏବେଠାରୁ କରିବା ଆରମ୍ଭ କରିଛନ୍ତି।

ବୁଦ୍ଧିଜୀବୀ କିନ୍ତୁ ଦୁଇ ପ୍ରକାର ରାୟ ଦେଉଛନ୍ତି। ଦୁଇ ରାଜ୍ୟର ହିତ ଦୃଷ୍ଟିରୁ ଏହି ସମ୍ବେଦନଶୀଳ ମାମଲାରେ ଦୁଇ ରାଜ୍ୟ ବିଶେଷ ହସ୍ତକ୍ଷେପ କରିବେ ନାହିଁ ବୋଲି ଅନୁମାନ କରିଛନ୍ତି। ସ୍ଥିତାବସ୍ଥା ଜାରି ରଖିବେ ଏବଂ ବିବାଦୀୟ ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିପାଇଁ ଯଥାସମ୍ଭବ ଦୂରେଇ ରହିବେ। ଯଦି ନିଷ୍ପତ୍ତି ନେବାରେ ସାମାନ୍ୟ ତ୍ରୁଟି ହୁଏ ତେବେ ଦୁଇ ରାଜ୍ୟରେ ଅସନ୍ତୋଷ ବଢ଼ିବା ନିଶ୍ଚିତ। ଯାହାର ସିଧାସଳଖ ପ୍ରଭାବ ଦୁଇ ରାଜ୍ୟରେ ବଡ଼ ଆକାରରେ ପଡ଼ିବ। ପୁଣି ଉଭୟ ରାଜ୍ୟର ସରକାର ଗୋଟିଏ କ୍ଷମତା ଡଙ୍ଗାର ଯାତ୍ରୀ ହୋଇଥିବାରୁ ପରସ୍ପର ସହ ସଂପର୍କ ବିଗାଡ଼ିବା ପାଇଁ ଆଦୌ ଚାହିବେ ନାହିଁ। ସ୍ଥିତାବସ୍ଥା ଜାରି ରଖିବା ଦିଗରେ ଓଡ଼ିଶାର ବିଜେପି ସରକାର ସର୍ବାଧିକ ଧ୍ୟାନ ରଖିବେ ବୋଲି କୁହାଯାଉଛି। କାରଣ ଏହି ସୀମା ବିବାଦ ପ୍ରସଙ୍ଗରେ ବାରମ୍ବାର ବିଜେଡି ସରକାରଙ୍କୁ ବହୁ ବର୍ଷ ହେଲା ବିଜେପି ଘେରି ଆସୁଥିଲା। ତେଣୁ କୋଟିଆ ପ୍ରସଙ୍ଗରେ ମାପିଚୁପି ମନ୍ତବ୍ୟ ଦେବେ। ନଚେତ ବିଧାନସଭା ଭିତରେ ତଥା ବାହାରେ ସମାଲୋଚିତ ହେବେ। ରାଜ୍ୟବାସୀ ଯେଉଁ ଆସ୍ଥା ରଖି କ୍ଷମତା ଗାଦିରେ ବସାଇଛନ୍ତି ତାହା ତୁଟିବାର ସମ୍ଭାବନା ରହିଛି। ଏମିତି ଅଙ୍କ କଷା ଭିତରେ କିନ୍ତୁ କୋଟିଆରେ ବଡ଼ ପରିବର୍ତ୍ତନର ମଧ୍ୟ ସଂକେତ ମିଳୁଛି। ବିକାଶର ଯେଉଁ ଧାରା କିଛି ବର୍ଷ ତ‌ଳେ ଆରମ୍ଭ ହୋଇଥିଲା ତାହାକୁ ଅଧିକ ଗତି ମିଳିବ। ରାଜନୀତିରେ ସବୁ ସମ୍ଭବ ହୋଇଥିବାରୁ ହୁଏତ ଆପୋସ ଆଲୋଚନାରେ ସ୍ଥାୟୀ ସମାଧାନ ପାଇଁ ମଧ୍ୟ ବାଟ ଫିଟିପାରେ। ତେବେ ସମୟ ହିଁ କହିବ କୋଟିଆ ଭାଗ୍ୟରେ କ’ଣ ରହିଛି।