ବିଜେପି ଆଦିବାସୀ ବିରୋଧୀ: ବିଜେଡି

୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କୁ ଏସ୍‍ଟି ତାଲିକାରେ କାହିଁକି ଅନ୍ତର୍ଭୁକ୍ତ କରାଯାଉ ନାହିଁ?

ଭୁବନେଶ୍ୱର : ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରା ନଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସର୍ବଦା ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ଆସୁଛନ୍ତି। ସେମାନଙ୍କର ଆଭିମୁଖ୍ୟ ଆଦିବାସୀ ବିରୋଧୀ, ଗରିବ ବିରୋଧୀ ଓ ଓଡ଼ିଶା ବିରୋଧୀ ବୋଲି ବିଜେଡି ଆକ୍ଷେପ କରିଛି।

ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଆଦିବାସୀ ସମ୍ପ୍ରଦାୟ

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହ‌ିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୭ଟି ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮,୬୮୭ ଗାଁ ଓ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରି ଓଡ଼ିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‍ଡିସିଏସ୍‍) ଯୋଗାଇ ଦେଇଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଦିବାସୀଙ୍କୁ ସବୁବେଳେ ଅବହେଳା କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କ ବାରମ୍ବାର ଚିଠି ସତ୍ତ୍ୱେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୧୬୯ ଜନଜାତି ସମ୍ପ୍ରଦାୟଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରୁନାହାନ୍ତି ଓ ଏବେ ବି ଏହା ବିଚାରାଧୀନ ଅଛି। ୨୦୨୨ ସେପ୍ଟେମ୍ବର ୧୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଡ଼ି ରହିଥିବା ପ୍ରସ୍ତାବ ଉପରେ ବିଚାର ଲାଗି ଅନୁରୋଧ କରିଥିଲେ। ପ୍ରସ୍ତାବରେ ଥିବା ସମ୍ପ୍ରଦାୟଗୁଡ଼ିକ ଯେପରିକି ପାଉରି ଭୂୟାଁ/ପାଉଡ଼ି ଭୂୟାଁ (ପିଟିଜି), ଚୁକ୍‍ଟିଆ ଭୁଞ୍ଜିଆ (ପିଟିଜି), ଦୁରୁଆ, ଧୁରୁଆ, ଧୁରଭ, ଉରାମ, ଧାଙ୍ଗରା, ଓରାମ /ଉରାଓଁ, ଓରାଓଁ ମୁଦି (ମୁଦି), କନ୍ଧ କୁମ୍ଭାର / ମୁକ ଦୋରା / ମୁକା ଦୋରା / ନୁକା ଦୋରା/ନୁକ ଦୋରା ଆଦି ଓଡ଼ିଶାର ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନକୁ ଅପେକ୍ଷା କରିଛି। କିନ୍ତୁ କେନ୍ଦ୍ର ସେମାନଙ୍କ ଅନ୍ତର୍ଭୁକ୍ତିକୁ ବିଳମ୍ବ କରୁଛି।

୨୦୨୨ ଏପ୍ରିଲ୍‌ ୨୦ରେ ଓଡ଼ିଶାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଓଡ଼ିଶା ସରକାର ପୁନର୍ବାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୬୯ଟି ବିଚାରାଧୀନ ସମ୍ପ୍ରଦାୟର ପ୍ରସ୍ତାବ ରଖିଥିଲେ। କିନ୍ତୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ବିଳମ୍ବ କରୁଛି। ୨୦୧୪ରେ ଏହି ସମ୍ପ୍ରଦାୟ ଉପରେ ଚାରିଟି ଭଲ୍ୟୁମ ଟାସ୍କଫୋର୍ସକୁ ଦାଖଲ କରାଯାଇଛି ଓ କେନ୍ଦ୍ରକୁ ପଠାଯାଇଛି, ଯେଉଁଥିରେ କନ୍ଧକୁମ୍ଭାର, ଝୋଡିଅ । / ଯୋଡିଅ । / ଜଡିଅ । ଏବଂ ଝାଡିଆ, ଚୁକ୍ତିଆଭୁଞ୍ଜିଆ, ସା-ଆ-ରା, ମାଙ୍କଡିଆ, ପୋରଜା ଏବଂ ବରେଙ୍ଗଝୋଡିଆପରଜା / ବୁଣ୍ଡାପରୋଜା, ଡୁରୁଆ ଏବଂ ପାହାରିଆ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ବିଚାର ପାଇଁ ପଠାଯାଇଛି। ଆହୁରି ମଧ୍ୟ ୨୦୨୨ ଅକ୍ଟୋବର ୧୦ରେ ୨୦ଟି ସମ୍ପ୍ରଦାୟ ପ୍ରସ୍ତାବକୁ ସମସ୍ତ ଯଥାର୍ଥତା, ସୂଚନା ଓ ସୁପାରିସ ସହିତ ଏସ୍‌ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି। କିନ୍ତୁ କେନ୍ଦ୍ର ଏହା ଉପରେ ନିରବ। ଏହି ସମ୍ପ୍ରଦାୟଗୁଡ଼ିକୁ ଏସ୍‍ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲଢେଇ ସତ୍ତ୍ୱେ ଆଦିବାସୀ ବିରୋଧୀ ଆଭିମୁଖ୍ୟ ସହିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସମସ୍ତ ଉଦ୍ୟମକୁ ବାଧା ଦେଉଛି। ଏହି ୧୬୯ ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଉ। ନଚେତ ବିଜେଡି ଓ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇ ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ଶ୍ରୀ ମାଝୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର