ଭୁବନେଶ୍ବର: ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ଅଶାନ୍ତିର ବୀଜ ବୁଣୁଛି। ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଯେଉଁ ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଏଥିରେ ବିଜେପିର ଅସଲ ଚେହେରା ପଦାରେ ପଡ଼ିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, କ୍ଷମତାକୁ ଆସିବାର ମାସେ ହୋଇନି, ମାତ୍ର ବିଜେପିର ନେତାମାନେ ଯେଉଁଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେଣି ତାହା ଚିନ୍ତାର ବିଷୟ। ରାଜଧାନୀରେ ପୁଲିସ ପ୍ରଶାସନର ଉପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଗୁଣ୍ଡାଗର୍ଦ୍ଦି କଲେ। ପୁଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ସରକାରୀ ଦଳର ଆଚରଣ ଓ ଉଚ୍ଚାରଣକୁ ରାଜ୍ୟବାସୀ ଦେଖୁଛନ୍ତି। ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ ନ କରି ରାଜ୍ୟବାସୀଙ୍କୁ ଠକି ଚାଲିଛି। କଂଗ୍ରେସ ଭବନ ଆଗରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୫ ତାରିଖରେ ଯୁବ, ଛାତ୍ର କଂଗ୍ରେସ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଭୁବନେଶ୍ବର ଡିସିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ସେ କହିଛନ୍ତି।

Advertisment

କ୍ଷମତାକୁ ଆସିବାର ମ‌ାସେ ହୋଇନି, ବିପର୍ଯ୍ୟସ୍ତ ହେଲାଣି ଆଇନ ଶୃଙ୍ଖଳା : ଶରତ
ସଂସଦରେ ବିରୋଧୀ ଦଳ କ୍ଷମତା ବୃଦ୍ଧିକୁ ବ‌ିଜେପି ସହିପାରୁନି : ସପ୍ତଗିରି

ସାଂସଦ ସପ୍ତଗିରି ଉଲ୍ଲାକା କହିଥିଲେ, ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧି ଓ ରାହୁଲ ଗାନ୍ଧୀଙ୍କ ଜବାବକୁ ବିଜେପି ନେତାମାନେ ସହିପାରୁ ନାହାନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‌ଏସ୍‌ ହିନ୍ଦୁତ୍ବ ନାଁରେ ହିଂସାକାଣ୍ଡ ଘଟାଉଥିବା କହିଥିଲେ। ମାତ୍ର ବିଜେପି ନେତାମାନେ ରାହୁଲଙ୍କ ବୟାନକୁ ପୁରା ହିନ୍ଦୁ ସମାଜକୁ ଆକ୍ଷେପ କରୁଥିବା ମିଥ୍ୟା ଅଭିଯୋଗ ଆଣି ବିଶୃଙ୍ଖଳା ସୃଷ୍ଟି କଲେ। ସାମ୍ପ୍ରଦାୟିକତା ପାଇଁ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା। ଏବେ ଓଡ଼ିଶାରେ ବିଜେପି ଶାସନକୁ ଆସିବାର ମାସେ ହୋଇଥିବା ବେଳେ ପୁଣିଥରେ ରାଜ୍ୟରେ ସାମ୍ପ୍ରଦାୟିକତାବାଦ ଆଳରେ ହିଂସାକାଣ୍ଡ ସୃଷ୍ଟି କରୁଛି। ତାମିଲ ଶାସନ ହଟାଇବାକୁ ଯାଇ ଓଡ଼ିଶାରେ ଗୁଜରାଟ ମଡେଲ ଥୋଇଲେଣି ବୋଲି ଶ୍ରୀ ଉଲ୍ଲାକା ଅଭିଯୋଗ କରିଛନ୍ତି। ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି କହିଲେ, ବିଜେପି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀ ଡାକି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଲେ। ସେହିଦିନ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଆସି ହିଂସାକାଣ୍ଡ ଘଟାଇଲେ। ହିନ୍ଦୁ ଧର୍ମ ଅହିଂସା ଉପରେ ବିଶ୍ବାସ କରେ। ମାତ୍ର ହିନ୍ଦୁ ଧର୍ମ ନାଁରେ ବିଜେପି ଓ ଆରଏସ୍‌ଏସ୍‌ କର୍ମକର୍ତ୍ତା ଯେଉଁଭଳି ହିଂସାକାଣ୍ଡ ଘଟାଉଛନ୍ତି ତାହା ଗାଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାନ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ସନତ ଦାଶ ଉପସ୍ଥିତ ଥିଲେ।