ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ‌ନେତାମାନେ ଗୁଣ୍ଡାଗର୍ଦ୍ଦି କରିବା ସହ ଭୋଟର୍‌ଙ୍କୁ ଧମକଚମକ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ଝାରସୁଗୁଡ଼ା ଉପନିର୍ବାଚନ

ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଝାରସୁଗୁଡ଼ା ଉପନିର୍ବାଚନରେ ଚାଲିଥିବା ବେଳେ ପରାଜୟ ନିଶ୍ଚିତ ଜାଣି ବିଜେପି ଏବେ ଭିନ୍ନ ରଣନୀତି ଆପଣେଇଛି। ଗତକାଲି ସନ୍ଧ୍ୟାରେ ବିଜେଡି କର୍ମୀମାନେ ପ୍ରଚାର କରୁଥିବା ବେଳେ ବିଜେପିର ଏହି ନେତା ଓ ତାଙ୍କ ସମର୍ଥକ ସେଠାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧମକଚମକ ଦେଇଥିଲେ। ଏପରିକି ଦିଲ୍ଲୀପ ପ୍ରଧାନ ନାମକ ଜଣେ ବିଜେଡି କର୍ମୀଙ୍କୁ ବିଜେପିର ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଜାତିଆଣ ଆକ୍ଷେପ କରି ଧମକ ଦେବା ସହ ତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ଗାଁ ଲୋକମାନେ ଏକଜୁଟ ହେବାରୁ ସେମାନେ ସେଠାରୁ ପଳାଇ ଆସିଥିଲେ। ମାତ୍ର ସେମାନଙ୍କ ଇସାରାରେ ଏହାର କିଛି ସମୟ‌ ପରେ ପୁନର୍ବାର ୪୦/୫୦ ଜଣ ବିଜେପି କର୍ମୀ ଗାଁରେ ପହଞ୍ଚି ବିଜେଡି ସମର୍ଥକମାନଙ୍କୁ ଧମକଚମକ ଦେବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ ଓ ଟେକା ପଥର ଫିଙ୍ଗିଥିଲେ। ବିଜେଡି କର୍ମୀ ପ୍ରାଣ ଭୟରେ ସେଠାରୁ ଦୌଡ଼ି ପଳାଇଯିବା ପରେ ରକ୍ତମୁଖା ବିଜେପି କର୍ମୀମାନେ ବିଜେଡିର ପତାକା ଓ ପୋଷ୍ଟର ଆଦି ଚିରି ପକାଇଥିଲେ। କାଲିଠାରୁ ନିକ୍ତିମାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ବିଜେପିରେ କୋଣଠେସା ଅନୁଭବ କରୁଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ମୁଷ୍ଟିମେୟ ନେତା ନିଜର ଅସ୍ତିତ୍ୱ ଜାହିର କରିବାକୁ ଝାରସୁଗୁଡ଼ା ଉପନିର୍ବାଚନରେ ଜାଣିଶୁଣି ଏମିତି ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଏବଂ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଏଭଳି ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି ବିଧାୟିକା କୁସୁମ ଟେଟେ, ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ଅନ୍ୟ ବିଜେପି ନେତାମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି ‌କରାଯାଇଛି। ବିଜୁ ଜନତା ଦଳର ଏହି ପ୍ରତିନିଧି ଦଳରେ ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଅମିତ ମଲ୍ଲିକ, ସ୍ୱୟଂପ୍ରକାଶ ମହାପାତ୍ର, ମିହିର ରାୟ, ଇପସିତା ସାହୁ, ଲୋରା ମହାପାତ୍ର, ମଧୁସ୍ମିତା ନାୟକ ଓ ଅପୂର୍ବା ଅପରୂପା ପ୍ରମୁଖ ସାମିଲ ଥିଲେ।