ଭଦ୍ରକ: ସଙ୍କଟରେ ଜିଲ୍ଲାର ବିଜେପି ସଙ୍ଗଠନ। ପୁରୁଣା ଓ ନୂଆ ଟିମ୍‌ ଭିତରେ ଥିବା ଅସନ୍ତୋଷକୁ ନେଇ ଜିଲ୍ଲାରେ ବିଜେପି ଦୁଇ ଭାଗ। କୋଣଠେସା ହୋଇ ରହିଥିବା କେତେକ ଅସନ୍ତୁଷ୍ଟ ନେତା ଦଳ ଛାଡ଼ବା ଚିନ୍ତାରେ ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ବେଳେ ଜିଲ୍ଲାରେ ବିଜେପିର ବେଶ୍ କିଛି  ପ୍ରଭାବ ରହିଥିଲା। ଏବେ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠନେତା ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହୁନଥିବାରୁ ସେ ଆଉ ସଂଗଠନ ଉପରେ ଗୁରୁତ୍ବ ଦେଇ ପାରୁନାହାନ୍ତି। ପୂର୍ବତନମନ୍ତ୍ରୀ ମନମୋହନ ସାମଲ ମଧ୍ୟ ଚାନ୍ଦବାଲି ଉପରେ ଯେତେ ଅଧିକ ଫୋକସ୍ କଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି। ଆଗାମୀ ୨୦୨୪ ପାଇଁ ପୁଣି ମନମୋହନ ଅଣ୍ଟା ସଳଖି ଚାନ୍ଦବାଲିର ବିଜେପି ସଂଗଠନକୁ ସୁଦୃଢ କରିବାକୁ ଯୋଜନା କରୁଛନ୍ତି। ମନମୋହନ ଓ ବିଷ୍ଣୁ ନିଜ ନିଜ ନିର୍ବାଚନମଣ୍ଡଳୀ ଉପରେ ଫୋକସ୍ କରୁଥିବା ବେଳେ ଜିଲ୍ଲାର ଦଳୀୟ ସଂଗଠନ ଭୁଶୁଡି ଗଲାଣି ବୋଲି ବିଜେପିର କର୍ମୀ  ମହଲରେ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ବିଜେପି ନିଜ ଦଳର ନେତାଙ୍କୁ କୋଣଠେସା କରି ଅନ୍ୟ ଦଳରୁ କିଛି ନେତାଙ୍କୁ ବିଜେପିରେ ମିଶାଇ ସେମାନଙ୍କୁ ଟିକଟ ଦେଇ ନିର୍ବାଚନ ଲଢିଥିଲେ ମଧ୍ୟ ଫଳ କିଛି ହେଲା ନାହିଁ।

Advertisment

ଭଦ୍ରକ ବିଧାନସଭା କ୍ଷେତ୍ରରେ କଂଗ୍ରେସରୁ  ପ୍ରଦୀପ ନାୟକଙ୍କୁ ଆଣି ବିଜେପି ଟିକଟ ଦେଇଥିବା ବେଳେ ଏଠାରେ ପୂର୍ବରୁ ଦଳର ସଂଗଠନ ସଜାଡିଥିବା ବିଜେପିନେତା ତୁଷାର ଜେନାଙ୍କୁ ଦଳ ଅଣଦେଖା କରିଥିଲା। ଭଦ୍ରକ ବିଧାନସଭା କ୍ଷେତ୍ରରେ ୨୦୧୯ ନିର୍ବାଚନ ବେଳେ ବିଜେପିର ଯାହା ସଂଗଠନ ଥିଲା ଏବେ ସେ ସଂଗଠନ ଆହୁରି ଦୁର୍ବଳ ହୋଇଛି। ଯାହା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିଫଳିତ  ହୋଇଛି।  ସେହିପରି ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପିର ପୁରୁଣାନେତା ଦୀନବନ୍ଧୁ ପତିଙ୍କୁ ଦଳ ଟିକଟ ନ ଦେଇ କଂଗ୍ରେସରୁ ମାଧବାନନ୍ଦ ମଲ୍ଲିକଙ୍କୁ ଆଣି ବିଧାନସଭା  କ୍ଷେତ୍ର ପାଇଁ ଟିକଟ ଦେଇଥିଲା। ଏଠାରେ ମଧ୍ୟ ବିଜେପିକୁ ପରାଜିତ ହେବାକୁ ପଡିଥିଲା। ଭଣ୍ଡାରିପୋଖରୀରେ  ବଦ୍ରିନାରାୟଣ ଧଳ  ବିଜେପି ଟିକଟରେ ନିର୍ବାଚନ ଲଢି ତୃତୀୟ  ସ୍ଥାନରେ ରହିଥିଲେ। ଏଠାରେ ଦଳର ନେତା ପଞ୍ଚାନନ ରାଉତଙ୍କୁ ଦଳ ଅଣଦେଖା କରିଥିଲା। ପଞ୍ଚାନନ ରାଉତ  ଓ  ପୂର୍ବତନ  ବିଜେପି ଜିଲ୍ଲା ସଭାପତି ଅକ୍ଷୟ ସାହୁ  ନିର୍ବାଚନ ବେଳେ ଏହି ନିର୍ବାଚନମଣ୍ଡଳୀ ପାଇଁ  ମନଉଣା କରି ରହିଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ପୂରୁଣା ଓ ନୂଆ ଟିମ୍‌କୁ ନେଇ ସଂଗଠନ ଦୁଇ ଭାଗ ହୋଇ ରହିଛି। ବିଜେପିର ପୁରୁଣା ଓ ନୂଆ ଟିମ୍ ଭିତରେ ତାଳମେଳ ରହୁନାହିଁ। ମନମୋହନ ଓ ବିଷ୍ଣୁଙ୍କ  ସହ ମଧ୍ୟ କିଛି ପୁରୁଣା ବିଜେପି ନେତାଙ୍କର ସଂପର୍କ ସେତେ ଭଲ ରହିନାହିଁ। ଅନ୍ୟ ଦଳରୁ ଆସିଥିବା ନେତାଙ୍କ ଗୁରୁତ୍ବ ରହୁଥିବା ବେଳେ ପୁରୁଣା ନେତାଙ୍କୁ କୋଣଠେସା କରିବା ଘଟଣାକୁ ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ଦଳରେ କୋଣଠେସା ହୋଇ ରହିବା ଅପେକ୍ଷା ଦଳ ଛାଡିଦେବା ଭଲ ବୋଲି ପୁରୁଣା ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ଦଳର ରାଜ୍ୟସ୍ତରୀୟ ନେତା ବିଜୟ ମହାପାତ୍ର ଭଦ୍ରକ ଆସି ବିଜେପିର  କିଛି ଅସନ୍ତୁଷ୍ଟ ନେତାଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲେ।

ଯେଉଁ ବୈଠକରେ ବରିଷ୍ଠ ବଜେପି ନେତା  ତୁଷାର ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଦୀନବନ୍ଧୁ ପତି, ଅକ୍ଷୟ ସାହୁ, ବିଜେପି ନେତା ବାମଦେବ ଦାସ, ପୂର୍ବତନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କୋଷାଧ୍ୟକ୍ଷ  ରଘୁ ସାହୁ,  ଗତିକୃଷ୍ଣ ମହାନ୍ତି, ସତ୍ୟବ୍ରତ ଦାସ, ପ୍ରଦୀପ ମହାନ୍ତି, ସଂଜୟ ପାତ୍ରଙ୍କ ଭଳି ନେତାମାନେ ଯୋଗ ଦେଇଥିଲେ। ବିଜୟଙ୍କ ଗସ୍ତ ବେଳେ ବରିଷ୍ଠନେତା ପଞ୍ଚାନନ ରାଉତ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ପୁରୁଣା ଓ ନୂଆ ଟିମକୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଳୁଛି।  ଆଗକୁ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି।