ମୟୂରଭଞ୍ଜ: ଦୟନୀୟ ସ୍ଥିତିରେ ବିଜେପି, ପ୍ରଥମଦିନ ଭଳି ଦ୍ବିତୀୟ ଦିନରେ ବି ବହୁତ ପଛରେ

ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ଶାସକ ଦଳ ଆଗୁଆ, ଜ୍ୟୋତିଙ୍କ ଗଡ଼ରେ ଫୁଟିଲା ପଦ୍ମ

ବାଲେଶ୍ବର/ ଭଦ୍ରକ/ବାରିପଦା : ପଞ୍ଚାୟତ ନିର୍ବାଚନରେ ବିଜେଡିର ଆଧିପତ୍ୟ ଜାରି ରହିଥିବାବେଳେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଉତ୍ତର ଓଡ଼ିଶାରେ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ବହୁ ଆଗରେ ରହିଛି। ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ଗତକାଲି ୨୬ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇଥିଲା। ସେଥିରୁ ବିଜେଡି ୨୫ଟି ଜୋନ୍‌ରେ ବିଜୟୀ ହୋଇଥିବା ବେଳେ କେବଳ ବିଶୋଇ ଜୋନ୍‌ରେ ବାଜିମାତ୍‌ କରିଥିଲା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)। ବିଜେପି କୌଣସି ଗୋଟିଏ ଜୋନ୍‌ରେ ବି ବିଜୟୀ ହୋଇ ପାରିନଥିଲା। ଆଜି ଦ୍ବିତୀୟ ଦିନରେ ଜିଲ୍ଲାର ୨୬ଟି ଜୋନ୍‌ରେ ଗଣତି ଜାରି ରହିଛି। ରାତି ୧୦ଟା ସୁଦ୍ଧା ୨୪ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି। କେବଳ ବିଶୋଇ ଓ ରାଇରଙ୍ଗପୁରରେ ଜେଏମ୍‌ଏମ୍‌ ପ୍ରାର୍ଥୀ ଆଗୁଆ ରହିଛନ୍ତି। ତେବେ ଆହୁରି ୮-୯ ପର୍ଯ୍ୟାୟ ଗଣତି ବାକି ଥିବାରୁ ଚୂଡ଼ାନ୍ତ ଫଳାଫଳ ବଦଳିପାରେ।

ଭଦ୍ରକ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଆଜି ରାତି ୧୦ଟା ସୁଦ୍ଧା ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବା ଖବର ମିଳିଛି। ଭଦ୍ରକ ଜିଲ୍ଲା ପରିଷଦ ଜୋନ୍‌ ୨୬ରେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ମଲ୍ଲିକ, ଚାନ୍ଦବାଲି ୨ନଂ ଜିଲ୍ଲା ପରିଷଦ ଜୋନ୍‌ରେ ରଞ୍ଜନ ସାହୁ, ଜୋନ୍‌ ୩ରେ ଗୀତାରାଣୀ ଦାସ, ତିହିଡି ବ୍ଲକ ୭ ନଂ ଜୋନ୍‌ରେ ବିଦ୍ୟୁତଲତା ନାୟକ, ଧାମନଗର ଜିଲ୍ଲା ପରି‌ଷଦ ଜୋନ୍‌ ୧୧ରେ ଉର୍ମିଳା ବିଶ୍ବାଳ, ବନ୍ତ ବ୍ଲକ ଜୋନ୍‌ ୧୫ରେ ପ୍ରଫୁଲ୍ଲ ଜେନା, ଭଣ୍ଡାରିପୋଖରୀ ବ୍ଲକର ୨୩ ନଂ ଜୋନ୍‌ରେ ଲକ୍ଷ୍ମୀଧର ସାହୁ, ବାସୁଦେବପୁର ୧୮ ନଂ ଜୋନ୍‌ରେ ଜୟକୃଷ୍ଣ ନାୟକ, ୧୯ ନଂ ଜୋନ୍‌ରେ ଯଦୁନାଥ ନାୟକ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ଥିବା ଜଣାପଡ଼ିଛି।

ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରେ ୧୪ ଜିଲ୍ଲା ପରିଷଦ ଜୋନ୍‌ ଓ ୧୦୯ ଗ୍ରାମ ପଞ୍ଚାୟତ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି। ବିଜେଡି ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଓ ବିଜେପି ଗୋଟିଏ ଲେଖା ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି। ସିମୁଳିଆ ନିର୍ବାଚନମଣ୍ଡଳୀ ଖଇରା ବ୍ଲକ ୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଶ୍ମିତା ମହାପାତ୍ର ଓ ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରେମୁଣା ୩୭ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ କଲ୍ୟାଣୀ ବାରିକ ବିଜୟୀ ହୋଇଛନ୍ତି। ରାତି ୧୦ଟା ସୁଦ୍ଧା ନୀଳଗିରି ନିର୍ବାଚନମଣ୍ଡଳୀ ଔପଦା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ଉଷାରାଣୀ ରାଉଳ, ଜଳେଶ୍ବର ନିର୍ବାଚନମଣ୍ଡଳୀ ୮ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଗୌରାଙ୍ଗ ସିଂ, ନୀଳଗିରି ବ୍ଲକ୍ ୧୨ ନମ୍ବର ଜୋନ୍‌ରେ ବିଜେଡିର ରଞ୍ଜିତା ସିଂ, ବସ୍ତା ବ୍ଲକ ୧୫ ନମ୍ବର ଜୋନ୍‌ରେ ବିଜେଡିର ଦେବୀକା ସୋରେନ, ବାହନଗା ବ୍ଲକ୍ ୧୯ ନମ୍ବର ଜୋନରେ ବିଜେଡିର ବିନପ୍ରଭା ଶିଅଳ, ବାଲିଆପାଳ ବ୍ଲକ୍ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡିର ନିଶାକର ସେଠୀ, ବାଲେଶ୍ବର ସଦର ବ୍ଲକ୍ ୨୬ ନମ୍ବର ଜୋନରେ ବିଜେଡିର ସୋନାଲି ବିଶ୍ବାଳ, ସଦର ୨୭ ନମ୍ବର ଜୋନରେ ବିଜେଡିର ବନଲତା ସେଠୀ, ଭୋଗରାଇ ବ୍ଲକ୍ ୩୨ ନମ୍ବର ଜୋନରେ ବିଜେଡିର କବିତା ମହାନ୍ତି, ଭୋଗରାଇ ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ଜେନା, ସିମୁଳିଆ ବ୍ଲକ ୪୧ ନମ୍ବର ଜୋନ୍‌ରେ ବିଜେଡିର ସାବିତ୍ରୀ ପାଢ଼ୀ ଓ ସୋର ବ୍ଲକର ୪୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜୟନ୍ତ କୁମାର ସ୍ବାଇଁ ଆଗରେ ରହିଥିବା ଜଣାପଡ଼ିଛି। ରୋଚକ କଥା ହେଉଛି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନମଣ୍ଡଳୀ ସିମୁଳିଆରୁ ୨ ଜଣ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଖଇରା ବ୍ଲକ୍ ୩ ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ପ୍ରସାଦ ଦାସ ଓ ସିମୁଳିଆ ୪୦ ନଂ ଜୋନରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ସାହୁ ବିଜୟୀ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର