ଭୁବନେଶ୍ବର/ଝାରସୁଗୁଡ଼ା: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସବୁଠୁ ଆଗରେ ଥିଲା। ହେଲେ ଆଜି ମୋଦୀଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଧର୍ମେନ୍ଦ୍ର ଦୂରେଇ ଗଲା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ବଢ଼ିଛି। ଓଡ଼ିଶାରୁ ନିର୍ବାଚିତ ହୋଇଥିବା କୌଣସି ସାଂସଦ ନା ବିଧାୟକ ନା ରାଜ୍ୟ ସଭାପତିଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦ ଦେଉଛି ତାହା ଉପରେ ସମସ୍ତଙ୍କ ନଜର। ଅନ୍ୟପକ୍ଷରେ ବିଜେପିର ଶୀର୍ଷ ନେତୃତ୍ବ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ରାତିରେ ବରିଷ୍ଠ ନେତା ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏ ସଂକ୍ରାନ୍ତରେ ଜଣାଇଛନ୍ତି। ୬ ଦିନ ହେଲା ନିର୍ବାଚନ ଫଳ ବାହାରିସାରିଲାଣି। ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ହେଲେ କାହିଁକି ଦଳ ମୁଖ୍ୟମନ୍ତ୍ରୀ ବାଛିପାରୁନି ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ଦିନ ଯେତିକି ବଢ଼ୁଛି ସସ୍‌ପେନ୍ସ ସେତିକି ବଢ଼ୁଛି। ମୁଖ୍ୟମନ୍ତ୍ରୀ ହେବା ପାଇଁ ଏବେ ଦଳର ସାଂସଦ, ବିଧାୟକ ଏବଂ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଲବି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ଏକ ସଶକ୍ତ ବିରୋଧୀ ଦଳ ଥିବାରୁ ଏହାର କଡ଼ା ମୁକାବିଲା କରି ଓଡ଼ିଶାରେ ଶାସନ କରିବାକୁ କେଉଁ ନେତାଙ୍କୁ ଦଳ ଚୟନ କରୁଛି ତାହା ଉପରେ ସମସ୍ତଙ୍କ ନଜର।

Advertisment

ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କୌଣସି ବିଧିବଦ୍ଧ ଆଲୋଚନା ହୋଇନି। ୨୦୧୪ରୁ ଓଡ଼ିଶାରେ ବିଜେପି ସଂଗଠନକୁ ମଜବୁତ୍ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ବ ଦେବାକୁ ଚାହୁଁଛନ୍ତି। ତେଣୁ ଆଜି ଶ୍ରୀ ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଏବେ ମୁଖ୍ୟମନ୍ତ୍ରୀ ହେବାର କୌଣସି ସମ୍ଭାବନା ନାହିଁ। ସେହିପରି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ସପକ୍ଷରେ କେନ୍ଦ୍ରୀୟ ନେତୃତ୍ବ ନଥିବା କୁହାଯାଉଛି। ଅପରପକ୍ଷେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଏଥର ବିଜେପି ନିର୍ବାଚନ ଲଢ଼ି ବିଜୟୀ ହୋଇଥିବାରୁ ତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ୨୦୨୨ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ବାଚନ ହାରି ଯାଇଥିଲେ ବି କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିଥିଲେ। ଏହାପରେ ସେ ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ହେଲେ ଶନିବାର ନୂଆଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ ଗଣମାଧ୍ୟମକୁ କହିଥିଲେ, ସେ ନିର୍ବାଚନ ହାରିଥିବାରୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହାନ୍ତି।

ଏସବୁ ସମ୍ଭାବନା ନେଇ ଆଲୋଚନା ହେଉଥିଲେ ହେଁ ଉକ୍ତ ବରିଷ୍ଠ ନେତା ଜଣଙ୍କ କହିଛନ୍ତି ଯେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ ହେଉଥିବାରୁ ଜଣେ ବିଧାୟକଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଦଳର ପ୍ରଭାରୀ ଓ କେତେକ ବରି‌ଷ୍ଠ ନେତା ମତ ଦେଇଛନ୍ତି। ତେଣୁ କେଉଁ ବିଧାୟକଙ୍କ ମୁଣ୍ଡରେ ସୁନା କଳସ ଢଳାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବ୍ରଜରାଜନଗରରୁ ବିଧାୟକ ଭାବେ ଜିତିଥିବା ସୁରେଶ ପୂଜାରୀ ଏବେ ଏକମାତ୍ର ବିଧାୟକ ଭାବେ କେନ୍ଦ୍ରୀୟ ନେତୃତ୍ବଙ୍କ ଡକରା ପାଇ ଦିଲ୍ଲୀରେ ଥିବାରୁ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୁରେଶ ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ନେତା। ସେ ୨୦୧୯ ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ନିର୍ବାଚନ ରାଜନୀତିରେ ସଫଳ ହେବାପୂର୍ବରୁ ଶ୍ରୀ ପୂଜାରୀ ରାଜ୍ୟ ବିଜେପି ସଭାପତି ଏବଂ ବିଜେପି କେନ୍ଦ୍ରୀୟ କମିଟିରେ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସୁରେଶଙ୍କ ନାମ ଚୂଡ଼ାନ୍ତ ହୋଇନି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେବି ଦଳର ଆଉ କେତେକ ବିଧାୟକଙ୍କ ନାମ ଉପରେ ଆଲୋଚନା ହେଉଛି।
ବିଜେପି ପକ୍ଷରୁ କୁହାଯାଇଛି ଯେ ସୋମବାର କିମ୍ବା ମଙ୍ଗଳବାର ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସିବେ। ସେ ବିଧାୟକ ଦଳ ବୈଠକରେ ଯୋଗଦେଇ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସଂପର୍କରେ ଆଲୋଚନା କରିବେ। ଏହାପରେ ସର୍ବସମ୍ମତିକ୍ରମେ ଦଳର ନେତା ବଛାଯିବେ।

ମୁଖ୍ୟମନ୍ତ୍ରୀ ରେସ୍‌ରୁ ଧର୍ମେନ୍ଦ୍ର ଆଉଟ୍‌
ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା
ରାଜନାଥ ସିଂହ, ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର: ଜୁନ୍ ୧୦ ନୁହେଁ, ଜୁନ୍‌ ୧୨ ତାରିଖ ସଂଧ୍ୟାରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ହେବ। ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶାରେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଜୁନ୍ ୧୦ତାରିଖରେ ଓଡ଼ିଶାରେ ବି‌େଜପି ସରକାର ଗଠନ ହେବ। ଶପଥ ଗ୍ରହଣ ଉତ୍ସବରେ ସେ ଯୋଗଦେବେ। କିନ୍ତୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବିଦେଶ ଗସ୍ତରେ ଯାଉଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ଜୁନ୍ ୧୨ତାରିଖକୁ ଘୁଞ୍ଚାଯାଇଛି ବୋଲି କୁହାଯାଇଛି। ଜୁନ୍ ୧୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ନୂଆ କରି ଶପଥ ନେଇଥିବା କେନ୍ଦ୍ରମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।