ଭୁବନେଶ୍ବର : ରାଜ୍ୟରେ ଧାନ ସଂଗ୍ରହର ଅବ୍ୟବସ୍ଥା ଓ ଖରିଫ ଧାନ ସଂଗ୍ରହର ସମୟସୀମା ବଢ଼ାଇବାକୁ ବିଜେପି ଆନ୍ଦୋଳନ କଲା ପରେ ଆଜି ତାହାର ଜବାବ ରଖିଛି ବିଜେଡି। ଧାନ ସଂଗ୍ରହ ଦାୟିତ୍ବ ଓଡ଼ିଶା ସରକାରଙ୍କର ନୁହେଁ, କେନ୍ଦ୍ର ସରକାରଙ୍କର। ହେଲେ ଓଡ଼ିଶା ବିଜେପି ରାଜ୍ୟବାସୀଙ୍କୁ ସତ କହୁ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଅଭିଯୋଗ ହୋଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର କହିଲେ ଯେ ୨୦୦୩-୦୪ରେ ସମସ୍ତ ୩୦ଟି ଜିଲ୍ଲାରୁ ଧାନ ସଂଗ୍ରହ ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାର ଦାୟିତ୍ବ ନେଇଥିଲେ। ଓଡ଼ିଶା ସରକାର ସେହି କାମ କରୁଛନ୍ତି, ଯାହା ବିଜେପି ଦ୍ବାରା ପରିଚାଳିତ କେନ୍ଦ୍ର ସରକାର କରିବା କଥା। ପ୍ରଥମ କଥା ହେଉଛି ଖାଦ୍ୟ ସବ୍‌ସିଡି ବାବଦରେ ରାଜ୍ୟ ସରକାର କେନ୍ଦ୍ର ଠାରୁ ଅର୍ଥ ପାଇବାକୁ ଥିଲାବେଳେ କେନ୍ଦ୍ର ସରକାର ତାହା ପ୍ରଦାନ କରୁନାହାନ୍ତି। ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ସରକାର ୭୭.୩୩ ଲକ୍ଷ ମେଟ୍ରିକ ଟନ୍ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିଛନ୍ତି, ଯାହାର ମୂଲ୍ୟ ହେଉଛି ୧୪,୪୪୬ କୋଟି ଟଙ୍କା। ଭାରତ ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍‌ସିଡି ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଭାରତୀୟ ଖାଦ୍ୟ ନିଗମ ୨୯୩୫ କୋଟି ଟଙ୍କା ପାଇଛି। ରାଜ୍ୟର ସବ୍‌ସିଡି ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍ ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦ କୋଟି ଟଙ୍କା ବାକି ପଡ଼ିଛି। ଖାଦ୍ୟ ସବ୍‌ସିଡି ବାବଦରେ ଦୀର୍ଘ ଦିନ ଧରି ବାକିଆ ଗଡ଼ୁଥିବା ଏହି ଟଙ୍କା କେନ୍ଦ୍ର ସରକାର ତୁରନ୍ତ ପ୍ରଦାନ କରନ୍ତୁ। ଦ୍ବିତୀୟ କଥା ହେଲା ଓଡ଼ିଶା ନିକଟରେ ବଳକା ଥିବା ୨୦ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ କେନ୍ଦ୍ର ସରକାର ଉଠାଇବା ଆବଶ୍ୟକ। କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇଥିଲା ବେଳେ ଆଉ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ଏହାକୁ ତୁରନ୍ତ ଉଠାଇବାର ବ୍ୟବସ୍ଥା କରନ୍ତୁ।

ତୃତୀୟ କଥା ହେଲା ଓଡ଼ିଶାରେ ଥିବା ବଳକା ଧାନ ଉଠାଇବା ପାଇଁ ସମୟସୀମା ବୃଦ୍ଧି ପ୍ରସଙ୍ଗ। ବିଭିନ୍ନ କାରଣ ଯୋଗୁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୨୦୨୧ ଜୁନ୍ ୩୦ରୁ ସେପ୍ଟମ୍ବର ୩୦କୁ ବଢ଼ାଇବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଏହାକୁ କେବଳ ଗୋଟିଏ ମାସ ଅର୍ଥାତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଚାଷୀ ବିରୋଧୀ। ଚତୁର୍ଥ କଥା ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା ଧାନ ସଂଗ୍ରହ ସମୟକୁ ମଞ୍ଜୁରୀ ପ୍ରଦାନ କରାଯାଏ। ଖରିଫ ଧାନ ସଂଗ୍ରହ ପାଇଁ ଟୋକନ ଅବଧି ୩୦ ଦିନ ଥିଲା ବେଳେ ରବି ଧାନ ସଂଗ୍ରହ ପାଇଁ ଏହା ୧୫ ଦିନ। ସେଥିପାଇଁ ରବି ଧାନର ସଂଗ୍ରହ ସୀମିତ ସମୟ ଦୁଇ ମାସ ପାଇଁ କରାଯାଇଥାଏ। ଖରିଫ ଧାନ ସଂଗ୍ରହ ‌ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ହେଉଥିବା ବେଳେ ରବି ଧାନ ମଇରୁ ଜୁନ୍ ମଧ୍ୟରେ ହୋଇଥାଏ। ଧାନ ସଂଗ୍ରହ ପୂର୍ବରୁ ଭାରତ ସରକାର ଏହି ସମୟକୁ ଅନୁମୋଦନ କରିଥାନ୍ତି। ଏହା ଜାଣି ମଧ୍ୟ ଓଡ଼ିଶା ବିଜେପି ଚାଷୀଙ୍କୁ ବିଭ୍ରାନ୍ତ କରୁଛି ବୋଲି ବିଜେଡି ନେତ୍ରୀ ଅଭିଯୋଗ କରିଛନ୍ତି।

ବିଜେପି ପରିଚାଳିତ କେନ୍ଦ୍ର ସରକାର ଧାନ ସଂଗ୍ରହ ଓ ଚାଉଳ ଉଠାଣ କ୍ଷେତ୍ରରେ ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲା ବେଳେ ଚାଷୀ ବିରୋଧୀ ମନ୍ତବ୍ୟ ଦେବା ବଦଳରେ ବିଜେପି ନେତାମାନେ ସତ୍ୟ କହିବା ଆରମ୍ଭ କରନ୍ତୁ। ଓଡ଼ିଶା ଚାଷୀଙ୍କ ପ୍ରତି ଏଭଳି ଅବହେଳା ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର ଅଫିସ୍‌ ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଶ୍ରୀମତୀ ଛୁରିଆ ଓ ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି।