ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ମାତିଛି: ବିଜେଡି

ଭୋଟ ଥିଲେ ସକ୍ରିୟ, ଭୋଟ ସରିଲେ ନିଷ୍କ୍ରିୟ
ପ୍ରମାଣ ଥିଲେ ପୁଲିସ୍‍ କିମ୍ବା ଅଦାଲତରେ ଦାଖଲ କରିବାକୁ ଆହ୍ୱାନ

ଭୁବନେଶ୍ୱର : ପୀଡ଼ିତା କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ବିଜେପିର କୌଣସି ଉଦ୍ଦେଶ୍ୟ ନାହିଁ। ପୀଡ଼ିତା କିମ୍ବା ସେମାନଙ୍କ ପରିବାର ପ୍ରତି କୌଣସି ସହାନୁଭୂତି, ସମ୍ବେଦନଶୀଳତା କିମ୍ବା ଚିନ୍ତା ନାହିଁ। ପୀଡ଼ିତା ଏବଂ ସେମାନଙ୍କ ପରିବାରର ସମ୍ମାନ ପ୍ରତି ମଧ୍ୟ ଧ୍ୟାନ ନାହିଁ। ଗତ କିଛି ବର୍ଷ ହେଲା ବିଜେପି କେ‌ବଳ ସଙ୍କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ମହିଳାମାନଙ୍କ ପ୍ରତି ଜଘନ୍ୟ ଅପରାଧ ମାମଲାକୁ ବ୍ୟବହାର କରିଆସୁଛି ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପା‌ଇଁ ଜଣେ ମହିଳାଙ୍କ ବିରୋଧରେ ଏକ ଯନ୍ତ୍ରଣାଦାୟକ ଜଘନ୍ୟ ଅପରାଧକୁ ବ୍ୟବହାର କରିବା ହେଉଛି ବିଜେପିର ଏକମାତ୍ର ଉଦ୍ଦେଶ୍ୟ। ସେମାନେ ନିଜର ରାଜନୈତିକ ସ୍ବାର୍ଥକୁ ବଞ୍ଚାଇ ରଖିବାକୁ ଗୋଟିଏ ମାମଲାରୁ ଅନ୍ୟ ଗୋଟିଏ ମାମଲାକୁ ଡେଇଁ ପଡ଼ନ୍ତି। ଏହାର ଦୁଇଟି ଉଦାହରଣ ହେଲା ଟିକିରିରେ ଘଟିଥିବା ଇତିଶ୍ରୀ ପ୍ରଧାନ ମାମଲା ଓ କୁନ୍ଦୁଲି ମାମଲା। ଯେତେବେଳେ ନିର୍ବାଚନ ଆସେ ବିଜେପି ତା’ର ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ମହିଳାଙ୍କ ବିରୁଦ୍ଧରେ ଦୁର୍ଭାଗ୍ୟଜନକ ଅପରାଧକୁ ବ୍ୟବହାର କରିବା ଆରମ୍ଭ କରେ। ୨୦୧୩ରେ ଇତିଶ୍ରୀ ମାମଲା ଆସିଥିଲା। ଆଉ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏହାକୁ ପ୍ରସଙ୍ଗ କରିବା ପାଇଁ ଶସ୍ତା ରାଜନୀତି କରିଥିଲା। ଏପରିକି ଏହି ଘଟଣାରେ ବିଜେଡି ନେତା ଜୟରାମ ପାଙ୍ଗି ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଚିତ୍କାର କରିବା ସହ ଗିରଫ ଦାବି କରିଥିଲା। ଘଟଣାର ସିବିଆଇ ତଦନ୍ତ ଚାଲିଥିବାବେଳେ ବିଜେପି ‌ଶ୍ରୀ ପାଙ୍ଗିକୁ ଦଳରେ ମିଶାଇଥିଲା, କୋରାପୁଟରୁ ସାଂସଦ ପ୍ରାର୍ଥୀ କରିଥିଲା। ସେହିପରି ଦୁର୍ଭାଗ୍ୟଜନକ କୁନ୍ଦୁଲି ଘଟଣା ଖବର ପାଇବା ପରେ ଓଡ଼ିଶା ସରକାର ତୁରନ୍ତ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ବିଜେପୁର ଉପନିର୍ବାଚନ ଥିବାରୁ ବିଜେପି ଶସ୍ତା ରାଜନୀତି ଆରମ୍ଭ କରିଥିଲା। ସେତେବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ହୋହଲ୍ଲା କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେତେବେଳେ ତଦନ୍ତ କମିସନ ଗଠନ ସତ୍ୟପାଠ ଓ ସାକ୍ଷୀ ପାଇଁ ଅନୁରୋଧ କଲେ ସେତେବେଳେ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ଗୋଟିଏ ହେଲେ ସତ୍ୟପାଠ ଦାଖଲ ହୋଇନଥିଲା। କାରଣ ସେତେବେଳକୁ ବିଜେପୁର ଉପନିର୍ବାଚନ ଶେଷ ହୋଇଯାଇଥିଲା। ଦୁଇଟି ଯାକ ଘଟଣାରେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ ହେଁ କୌଣସି ଗୋଟିକରେ ବି କିଛି ତଥ୍ୟ ପ୍ରମାଣ ଦେଇପାରିନଥିଲେ। ବରଂ ଗଣମାଧ୍ୟମ ସମ୍ମୁଖରେ ବହୁ ମିଛ କଥା କହିଥିଲେ।

ଶ୍ରୀ ପାତ୍ର କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଏହି ଦଳଗୁଡ଼ିକ ମହିଳାଙ୍କ କଲ୍ୟାଣ କଥାକୁ ମନେପକାନ୍ତି ଏବଂ ଯେତେବେଳେ ନିର୍ବାଚନ ସରିଯାଏ ସେମାନେ ତାହାକୁ ଭୁଲିଯାଆନ୍ତି। ଆଗାମୀ ଦିନରେ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି କିଭଳି ଲଜ୍ଜାଜନକ ଭାବେ ରାଜନୀତିକରଣ କରିଥାଏ ତାହାକୁ ବିଜେଡି ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବ। ଲୋକଙ୍କୁ ସତ୍ୟ ଜଣାଇବ। ଆମେ ବିଜେପିକୁ ଆହ୍ବାନ କରୁଛୁ ଯେ ଯଦି ସାହାସ ଅଛି ବିଜେପିର ତଥ୍ୟ ଅନୁସନ୍ଧାନ ଦଳକୁ କୁହ ପୁଲିସ ଏବଂ ଅଦାଲତ ନିକଟରେ ପ୍ରମାଣ ଉପସ୍ଥାପନ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଏଲିନା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର