ଭୁବନେଶ୍ବର: ଓଡ଼ିଶାରେ ବିଜେପି ନେତୃତ୍ବ ଗଣମାଧ୍ୟମକୁ କହିଥିଲେ ଯେ ମୋଦୀ ସରକାରଙ୍କ ୯ବର୍ଷ ସଫଳତାକୁ ଘରେ ଘରେ ପହଞ୍ଚାଇବା ଲାଗି ଦଳ ଜାତୀୟସ୍ତରରେ କାର୍ଯ୍ୟକ୍ରମ ହାତକୁ ନେଇଛି। ସାରା ଦେଶରେ ୫୧ଟି ମହାରାଲିରୁ ୪ଟି ଓଡ଼ିଶାରେ ହେବ। ରାଜ୍ୟର ୪ଦିଗରେ ଚାରିଟି ବଡ଼ ସଭା ଆୟୋଜନ କରାଯିବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସଭାପତି ଜେ ପି ନଡ୍ଡା ଯୋଗଦେବେ। ନିର୍ବାଚନ ବର୍ଷରେ ଦଳୀୟ ନେତାଙ୍କ ଏହି ସାମ୍ବାଦିକ ସମ୍ମିଳନୀ କର୍ମୀଙ୍କୁ ଉତ୍ସାହିତ କରିଥିଲା। କର୍ମୀ ଭାବିନେଇଥିଲେ ଯେ ସମ୍ଭବତଃ ସରକାର ବିରୋଧରେ ଲଢ଼ିବା ପାଇଁ ସେମାନଙ୍କୁ ବଳ ମିଳିବ। ସେପଟେ ପ୍ରତିପକ୍ଷ ରାଜନୈତିକ ଦଳ ବି ଆଶଙ୍କା ଭିତରେ ଥିଲେ ଯେ କାଳେ କେନ୍ଦ୍ର ସରକାର ନିର୍ବାଚନ ବର୍ଷରେ ଯୁଦ୍ଧ ଡାକରା ଦେଇ ଓଡ଼ିଶାର ରାଜନୀତି ପାଣିପାଗକୁ ଗୋଳମାଳିଆ କରିଦେବେ। ମେ' ୩୧ରୁ ଜୁନ୍ ୩୦ ଅବଧି ସରିଗଲା। ଅଥଚ ଏମିତି କିଛି ବି ହେଲାନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେହି ଓଡ଼ିଶା ଗସ୍ତରେ ଆସିଲେନି। କେବଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କଳାହାଣ୍ଡିରେ ମହାରାଲିରେ ଯୋଗଦେଲେ; ଯାହାର ପ୍ରଭାବ ଅବଶିଷ୍ଟ ଓଡ଼ିଶାରେ ନାହିଁ। ନଡ୍ଡାଙ୍କ ସ୍ବରରେ ସେତେ ଶକ୍ତି ନଥିଲା, ଯାହା ବିଜେପି କର୍ମୀଙ୍କ ମନରେ ଉତ୍ସାହ ଭରିଦେବ। ଆହୁରି ସରଳ ଭାବେ କହିଲେ, ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଆକ୍ରମଣାତ୍ମକ ପନ୍ଥା ଆପଣାଇ କର୍ମୀଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଭରିବା ପାଇଁ ଯେଉଁ ଯୋଜନା କରିଥିଲା ତାହା ଫସର ଫାଟିଯାଇଛି। ଓଲଟା ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କୁ ଆଜି ବିଜେପି ଶୀର୍ଷ ନେତୃତ୍ବ ଓଡ଼ିଶାରୁ ହଟାଇ ଆନ୍ଧ୍ରପ୍ରଦେଶ ସଭାପତି ଦାୟିତ୍ବ ଦେଇଛନ୍ତି।

Advertisment

ଆସିଲେନି ମୋଦୀ, ଶାହ, ରାଜନାଥ ସିଂହ
ଗଣମାଧ୍ୟମ ରିପୋର୍ଟରେ ଅଟକିଛି ବିଜେପି କାର୍ଯ୍ୟକ୍ରମ
ହାଇକମାଣ୍ଡଙ୍କ ଆଭିମୁଖ୍ୟ ନେଇ କର୍ମୀ ଦ୍ବନ୍ଦ୍ବରେ
ଗୌହାଟୀ‌‌ରେ ପ୍ରସ୍ତୁତ ହେବ ଓଡ଼ିଶା ରଣନୀତି

ଗତ କିଛି ଦିନ ଧରି ରାଜ୍ୟ ବିଜେପି ନେତାମାନେ ସରକାର ବଦଳାଇବା ପାଇଁ ଆହ୍ବାନ ଦେଇଛନ୍ତି। ହେଲେ ଏହି ପ୍ରସଙ୍ଗକୁ ଶକ୍ତି ମିଳୁନି। ଏପରିକି ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ, ପିସି କାରବାର, ରତ୍ନଭଣ୍ଡାର ଖୋଲିବା, ଆବାସ ଯୋଜନା, ବିଦ୍ୟୁତ ବିଭ୍ରାଟ ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲେ ବି ଏହା ଗଣଆନ୍ଦୋଳନ ରୂପ ନେଇପାରିନାହିଁ। ଏପରିକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଲୋକସଭା ଭୋଟ୍‌ ବିଜେପିକୁ ଦେବାକୁ ଲୋକଙ୍କ ମଧ୍ୟରେ ଲହର ସୃଷ୍ଟି କରାଯାଇଥିଲା ସେ ତାତି ମଧ୍ୟ ଆଉ ନାହିଁ। ଏସବୁ ଏଇଥିପାଇଁ ହେଉଛି, କାରଣ ଗୋଟିଏ ପଟେ ରାଜ୍ୟ ବିଜେପି ନେତା ୫-ଟି ସଚିବଙ୍କ ନାଁ ନେବାକୁ କୁନ୍ଥକୁନ୍ଥ ହେଉଥିବା ବେଳେ ଅନ୍ୟପଟରେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତ ନ କରିବା ପରେ ଯେଉଁ ପ୍ରସଙ୍ଗଟି ଅଧିକ ଆଲୋଚନା ହେଉଛି, ତାହା ହେଲା ରାଜ୍ୟ ସରକାରଙ୍କ ପଛରେ କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ରହିଛି। ବିଜେଡିର ସମର୍ଥନ ପାଇଁ ସେମାନେ ଓଡ଼ିଶା କ୍ଷେତ୍ରରେ କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନାହାନ୍ତି। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କ ଭାଷଣରେ ନା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଲେ ନା ୫ଟି ସଚିବଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ସଂପର୍କରେ କିଛି ସଙ୍କେତ ଦେଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନେତାଙ୍କ ଅଭିଯୋଗ ଭୋଟରଙ୍କୁ ପ୍ରଭାବିତ ନ କରିବା ଗୋଟିଏ ସ୍ବାଭାବିକ ଘଟଣା ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏତେବେଳକୁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିଲେ, ଏମିତି ଖୋଦ୍ ମୋଦୀ ବି।

ଉଲ୍ଲେଖଥାଉକି, ଏବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ନେତାମାନଙ୍କ ଆକ୍ରମଣାତ୍ମକ ପ୍ରଚାର ଯେ ପ୍ରଭାବହୀନ ଏକଥା ଦଳର ଶୀର୍ଷ ନେତୃତ୍ବଙ୍କୁ ମଧ୍ୟ ଅଛପା ନାହିଁ। ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକମାନେ ବିଭିନ୍ନ ବୈଠକରେ ଦଳର କ୍ଷେତ୍ରୀୟ ପ୍ରଭାରୀଙ୍କୁ ଜଣାଇ ସାରିଲେଣି। ହେଲେ କେନ୍ଦ୍ରୀୟ ନେତାଙ୍କ ନିଷ୍ପତ୍ତି ପରିବର୍ତ୍ତନର ଆଭାସ ଦଳୀୟ ନେତାଙ୍କୁ ମିଳିପାରୁନି। ବିଜେପି ରାଜନୀତି ଉପରେ ନଜର ରଖିଥିବା ରାଜନୈତିକ ପର୍ଯ୍ୟବେକ୍ଷକଙ୍କର କହିବା କଥା ହେଉଛି, ଯେତେବେଳେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ବୈଠକ ନେଉଛନ୍ତି ‌ବା କୌଣସି କେନ୍ଦ୍ରମନ୍ତ୍ରୀ ରାଜ୍ୟ ପଦାଧିକାରୀଙ୍କ ସହ ‌ସମୀକ୍ଷା ବୈଠକ କରୁଛନ୍ତି ତା’ପରେ ଗଣମାଧ୍ୟମକୁ କୁହାଯାଉଛି ଯେ ଆନ୍ଦୋଳନ ତୀବ୍ରତର ହେବ। ଗାଁରୁ ସହର ପ୍ରତି ପରିବାର ନିକଟରେ ମୋଦୀ ସରକାରର ସଫଳତା ଓ ନବୀନ ସରକାରର ବି‌ଫଳତା ପହଞ୍ଚାଯିବ। ମୋଦୀ, ଶାହ ଓଡ଼ିଶା ଆସି ପ୍ରଚାର ମଙ୍ଗ ଧରିବେ। ହେଲେ ଏସବୁ ଗଣମାଧ୍ୟମ ରିପୋର୍ଟ ଭିତରେ ହିଁ ସୀମିତ ରହିଯାଉଛି।

ଏନେଇ ଦଳୀୟ ନେତୃତ୍ବଙ୍କର ଯୁକ୍ତି ବି ଆଚମ୍ବିତ କଲାଭଳି। ସେମାନେ ଯୁକ୍ତି ରଖୁଛନ୍ତି ଯେ ଗତମାସ ଆରମ୍ଭରେ ବାଲେଶ୍ବରରେ ଟ୍ରେନ୍ ଦୁର୍ଘଟଣା ଯୋଗୁ ଜୁନ୍ ୧୦ତାରିଖ ଯାଏ କିଛି କାର୍ଯ୍ୟକ୍ରମ ରଖାଗଲାନି। ଏହାପରେ ରଜ ଓ ବିପର୍ଯ୍ୟୟ ବାତ୍ୟା, ରଥଯାତ୍ରା ଆସିଲା। ନଡ୍ଡା ଓଡ଼ିଶା ଗସ୍ତରେ ଆସିଛନ୍ତି। ମୋଦୀ, ଶାହ, ରାଜନାଥ ସିଂହ ଆସିବାକୁ ସମୟ ମିଳିଲାନି। ଜୁଲାଇ ମାସରେ ଏହି ନେତାମାନେ ଓଡ଼ିଶା ଆସିପାରନ୍ତି। ସେପଟେ କିନ୍ତୁ ଓଡ଼ିଶାରେ ଯେପରି ଦଳ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ ଦଳର ସଂଗଠନ ଦାୟିତ୍ବରେ ଥିବା ପଦାଧିକାରୀମାନଙ୍କୁ ଗୌହାଟୀ ଡକାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଆଲୋଚନା ହେବ। ଅମିତ ଶାହ ଓ ଜେପି ନଡ୍ଡା ଏହି ବୈଠକରେ ଯୋଗଦେଉଥିବାରୁ ସେଠାରେ କେନ୍ଦ୍ରମନ୍ତ୍ରୀମାନଙ୍କର ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇପାରେ। ବୈଠକରେ ଓଡ଼ିଶା‌େର ଯେପରି ୨୧ରୁ ୨୧ ଲୋକସଭା ସାଂସଦ ପ୍ରାର୍ଥୀ ଜିତିବେ ସେନେଇ ରଣନୀତି ପ୍ରସ୍ତୁତ ହେବ। ଏହି ବୈଠକରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟ ପାଲସିଂହ ତୋମାର, ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଓଡ଼ିଶା ଉପରେ ରିପୋର୍ଟ ପ୍ରଦାନ କରିବେ।