ଭୁବନେଶ୍ୱର : ମଣିପୁରରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ ନିରବ। ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରର କଥା, ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ।
ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଆ ଛାତ୍ରଛାତ୍ରୀମାନେ ମଣିପୁରରେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ମଣିପୁରର ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଓଡିଶାର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ଭୟ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁରୋଧ କରିଥିଲେ ଯେ ସେମାନେ ଓଡ଼ିଶାକୁ ଫେରିବାକୁ ଚାହୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ ଏହି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା। ଯେତେବେଳେ ବି ଓଡ଼ିଆ ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦା ତ୍ୱରିତ ପଦକ୍ଷେପ ନିଅନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନ ନିଆଯାଏ ଏବଂ ସେମାନଙ୍କୁ ନିରାପଦରେ ଓଡ଼ିଶାକୁ ଫେରାଇ ଅଣାଯାଏ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ବିଜେଡି ବିଶ୍ୱାସ କରେ ନାହିଁ ଓ ବିଜେପି ଭଳି ଅଭ୍ୟାସଗତ ଭାବେ ଅତି ନିମ୍ନ ସ୍ତରକୁ ଯାଏ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଓଡ଼ିଶାର ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ ଯେ ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ସାହାଯ୍ୟ ମାଗୁଥିବାବେଳେ ସେମାନେ କେଉଁଠି ଥିଲେ ? ଦେଖାଯାଇଛି ଯେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଚୁପ୍ ରହିଛନ୍ତି। କାରଣ ଏହା ଏକ ବିଜେପି ଶାସିତ ରାଜ୍ୟ ଏବଂ ସେଠାକୁ ଯାଇ ଓଡ଼ିଆ ଛାତଛାତ୍ରୀମାନଙ୍କୁ ସାହାଯ୍ୟ କରିବା ତାଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ସହଜ ନୁହେଁ । ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।