ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶାରେ ୨୧ରୁ ୨୧ଟି ଯାକ ଲୋକସଭା ଆସନ ଜିତିବ ସେନେଇ ରଣନୀତି ଆରମ୍ଭ ହୋଇଯାଇଛି। ନିକଟରେ ଗୌହାଟୀରେ ବସିଥିବା ବିଜେପିର ସାଂଗଠନିକ କର୍ମକର୍ତ୍ତାଙ୍କ ବୈଠକରେ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେନେଇ ସମୀକ୍ଷା ହୋଇଥିଲା। ଏହାପରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବାକୁ ଟାର୍ଗେଟ୍ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନଜିତିବାକୁ ହେବ ବି ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି। କହିଛନ୍ତି, ତୃଣମୂଳ ସ୍ତରରେ ମୋଦୀଙ୍କ ପ୍ରଚାର କର। ଯେମିତି ମୋଦୀଙ୍କ ବିନା ଆଉ କେହି ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହେଁ। ଲୋକ ମୋଦୀଙ୍କୁ ପୁଣି କ୍ଷମତାକୁ ଆଣିବାକୁ ଚାହିଁଲେ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।
ବଂଶଲ ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଗତକାଲି ଫେରିଯାଇଛନ୍ତି। ହେଲେ ସେ ଯେଉଁ ସମୀକ୍ଷା ବୈଠକ କଲେ ସେଥିରେ ହାରିଥିବା ଲୋକସଭା ଆସନ ଅନ୍ତର୍ଗତ ବିଧାୟକ, ବିଧାୟକ ପ୍ରାର୍ଥୀ, ବିଧାନସଭାସ୍ତରୀୟ ପ୍ରଭାରୀ, ପର୍ଯ୍ୟବେକ୍ଷକ କାହାକୁ ନଡାକିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତୃଣମୂଳ ସଂଗଠନ ସଜାଡ଼ିବାକୁ ବଂଶଲଙ୍କ ପରାମର୍ଶ
ସେପ୍ଟେମ୍ବର ପରେ ଦଳର ବରିଷ୍ଠ ନେତା ଓଡ଼ିଶାରେ ସଭା କରିବେ
ବିଧାନସଭା କ୍ଷେତ୍ରକୁ କେନ୍ଦ୍ରର ଫୋକସ୍ ନଥିବାରୁ ଅସନ୍ତୋଷ
ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ବଂଶଲ ଏହି ବୈଠକରେ କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ଡାକି ସ୍ଥିତି ସମୀକ୍ଷା କରିଥିଲେ। ବଂଶଲ କହିଥିଲେ ଯେ, ଗତଥର ସାରା ଦେଶରେ ମୋଦୀ ହାୱା ଯୋଗୁ ଆମେ କ୍ଷମତାକୁ ଆସିଲୁ। ଓଡ଼ିଶାରେ ବି ଭଲ ଫଳାଫଳ ହେଲା। ଗୋଟିଏରୁ ଉଠି ୮ଟି ଆସନ ଜିତିଲୁ। ହେଲେ ୧୩ଟିରେ ହାରିଲୁ। ଏଥିରୁ ଅଧିକାଂଶ ସିଟ୍ରେ ଆମେ ଦ୍ବିତୀୟ ସ୍ଥାନରେ ଥିଲୁ। କିଛି ସ୍ଥାନରେ ଭୋଟ୍ ବ୍ୟବଧାନ ବି କମ୍ ଥିଲା। ଏଠାରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ବି ନେଇଥିଲେ। ସାଂସଦ ପ୍ରାର୍ଥୀ ଜିତିବା ପାଇଁ ବଂଶଲ କହିଥିଲେ ଯେ ତୁମେମାନେ ଏବେଠୁ ତୃଣମୂଳ ସ୍ତରରେ ଲୋକଙ୍କ ମଧ୍ୟରେ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ପ୍ରଚାର କର। ଯେଉଁ ଯୋଜନାରେ ରାଜ୍ୟ ସରକାର ସାବାସି ନେଉଛନ୍ତି ବାସ୍ତବରେ ସେଥିପାଇଁ କିପରି ମୋଦୀ ସରକାର ଅର୍ଥ ଦେଉଛନ୍ତି ତାହା ଲୋକଙ୍କୁ ଜଣାଇ ମୋଦୀଙ୍କ ପ୍ରତି ଅନୁକମ୍ପା ସୃଷ୍ଟି କର। ଏହାପରେ ଆମେ ଜିତିବା ବାଟ କରିବୁ।
ଉକ୍ତ ନେତାଙ୍କ କହିବାନୁଯାୟୀ, ଏହି ବୈଠକରେ ବଂଶଲ ବିଧାନସଭା ଆସନ ଜିତିବା ନେଇ କିଛି ଆଲୋଚନା କରିନାହାନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାରକୁ ଗୁରୁତ୍ବ ଦେବା ଅପେକ୍ଷା ମୋଦୀ ସରକାରର ପ୍ରଚାରକୁ ଅଧିକ ଗୁରୁତ୍ବ ଦେବାକୁ କହିଛନ୍ତି। ତେବେ ବଂଶଲ ଏହି ମନ୍ତ୍ରଣା ଦେଲେବି ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ କର୍ମୀ ଆଗ୍ରହ ଦେଖାଉନଥିବା ବୈଠକରେ କିଛି ପ୍ରଭାରୀ ଓ ବିସ୍ତାରକ କହିଥିଲେ। ସେମାନେ କହିଥିଲେ, ବିଧାନସଭାକୁ ଫୋକସ୍ ନକଲେ କର୍ମୀଙ୍କୁ ଆକୃଷ୍ଟ କରିହେଉନି। ଦଳ ଲୋକସଭା ଆସନସ୍ତରରେ ଯେତିକି ଫୋକସ୍ କରୁଛି ତା’ଠାରୁ ଅଧିକ ବିଧାନସଭା ସ୍ତରରେ ଫୋକସ୍ କରିବା ଦରକାର। ଓଡ଼ିଶାରେ ବିଜେଡି ସରକାର ତୃଣମୂଳ ସ୍ତରର କର୍ମୀଙ୍କୁ ରୋଜଗାର ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ତେଣୁ ତାଙ୍କ ବିରୋଧରେ ପ୍ରଚାର କରିବାକୁ ଯେତିକି ଅର୍ଥ ଦରକାର ତାହା ଆମ ପାଖରେ ନାହିଁ। କର୍ମୀ ଏବେ ଚାହୁଁଛନ୍ତି ଦଳ କେନ୍ଦ୍ର ସମେତ ଓଡ଼ିଶାରେ କ୍ଷମତାକୁ ଆସିବାକୁ ଯୋଜନା କରୁ। ଏହାସହ ସଂଗଠକମାନେ କହିଥିଲେ ଯେ, ଯେଉଁ ସାଂସଦ ପ୍ରାର୍ଥୀ ଏବେ ଜାତୀୟ ରାଜନୀତିରେ ସକ୍ରିୟ ଅଛନ୍ତି ବା ସାଂସଦ ଅଛନ୍ତି ସେଠାକୁ କେନ୍ଦ୍ରମନ୍ତ୍ରୀମାନେ ଆସି କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଯେଉଁଠି ଦୁର୍ବଳ ଅଛି ସେଠାକୁ କେହି ଆସୁନାହାନ୍ତି। ଏପରିକି ମୋଦୀ, ଶାହ, ରାଜନାଥ ସିଂହଙ୍କ କାର୍ଯ୍ୟକ୍ରମ ବାତିଲ୍ ହେବାରୁ ଏହାର ପ୍ରଭାବ କର୍ମୀଙ୍କ ମଧ୍ୟରେ ପଡ଼ିଛି। ତେଣୁ ତୁରନ୍ତ ଏନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହେଉ। ହେଲେ ଏବେ ବର୍ଷା ଋତୁ ଚାଲୁଥିବାରୁ ବଡ଼ ନେତାଙ୍କ କାର୍ଯ୍ୟକ୍ରମ ଓଡ଼ିଶାରେ ହେବାର ସମ୍ଭାବନା କମ୍, ସେପ୍ଟେମ୍ବର ପରେ ସଭା ହେବ ବୋଲି ବଂଶଲ କହିଥିଲେ।