ସିବିଆଇ ତଦନ୍ତ ଦାବିରେ ବିଜେପିର ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର : ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ, ତାଙ୍କୁ ଗିରଫ କରାଯାଉ ଏବଂ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ। ଏହି ଦାବି କରି ଶନିବାର ଦିନ ବିଜେପି ମହିଳା ମୋର୍ଚ୍ଚା ରଣହୁଙ୍କାର ଦେଇଛି। ନବୀନ ନିବ‌ାସ ଘେରାଉ କରିବା ପାଇଁ ଆଜି ଶତାଧିକ ମହିଳା କର୍ମୀ ଜନପଥରେ କୋକେଇ ଶୋଭାଯାତ୍ରା କରି ଯାଇଥିଲେ ହେଁ ପୁଲିସ ଶିଶୁଭବନ ଛକରୁ ସମସ୍ତଙ୍କୁ ଉଠାଇ ନେଇଛି।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ମହିଳା କାର୍ଯ୍ୟକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଆଡ଼କୁ ଯାଇଥିଲେ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ ଏବଂ ଶାସକ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ଘଟିଯାଉଥିବା ଅପରାଧକୁ ବିରୋଧ କରି ମହିଳା କାର୍ଯ୍ୟକର୍ତ୍ତାମାନେ ଏହି ଶୋଭାଯାତ୍ରା କରିଥିଲେ। କିନ୍ତୁ ନବୀନ ନିବାସ ନିକଟରେ ପହଞ୍ଚିବା ପୂର୍ବରୁ ଶିଶୁଭବନ ଛକ ନିକଟରେ ପୁଲିସ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। ଏହାପରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଠେଲାପେଲାରେ କିଛି ବିଜେପି ନେତ୍ରୀ ଆହତ ହୋଇଥିଲେ। ଜନପଥରେ ପ୍ରାୟ ଘଣ୍ଟାଏ କାଳ ଏହିପରି ଠେଲାପେଲା ଚାଲିବାରୁ ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ ରାସ୍ତା ପୂରା ଜାମ୍ ‌େହାଇଯାଇଥିଲା।

ବିକ୍ଷୋଭ ବେଳେ ବିଜେପି ନେତ୍ରୀବୃନ୍ଦ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସି ଅହିଂସାର ନାଟକ କରୁଛନ୍ତି। ମାତ୍ର ରାଜ୍ୟ ସାରା ବୁଲି ବୁଲି ବି‌ଜେଡି ହିଂସାର ତାଣ୍ଡବ କରୁଛି। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେଡିର ଏହିଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ବିଜେଡି ହିଂସାର ଆଶ୍ରୟ ନେଉଛି। ମହାଲିଙ୍ଗ ଘଟଣାକୁ ବିରୋଧ କରିବାରୁ ବିଜେଡି ହିଂସାର ଆଶ୍ରୟ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ଶାସକ ବିଜେଡିର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ବିଜେପି କର୍ମୀଙ୍କୁ ଆକ୍ରମଣ, କଟକ ଜିଲ୍ଲା ବଡ଼ମ୍ବାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସର ମାଡ଼ ଓ ଗିରଫ କରାଯିବା ଘଟଣା ଏବଂ ଆଜି ମହିଳା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଶାସକ ବିଜେଡିର ଦୋମୁହାଁ ଚରିତ୍ରର ଖୁଲାସା କରିଛି।

ମହିଳା ମୋର୍ଚ୍ଚା ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶିନୀ, ଲେଖାଶ୍ରୀ ସାମନ୍ତସିଂହାର, ଉର୍ମିଳା ମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର