ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚିତ୍ପଟାଙ୍ଗ ମାରିଥିବା ବିଜେପି ଏବେ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏଥିପାଇଁ ରାଜ୍ୟ ବିଜେପି ପ୍ରମୁଖ ନେତାମାନଙ୍କୁ ପ୍ରଚାରରେ ସାମିଲ୍ କରିବାକୁ ଯାଉଛି। ଏପରିକି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଓଡ଼ିଶା ଆସି ପାରିନଥିବା ଧର୍ମେନ୍ଦ୍ର ପ୍ରଧାନ, ଆସାମ ନିର୍ବାଚନ ପାଇଁ ଆସିନଥିବା ବୈଜୟନ୍ତ ପଣ୍ଡା, ମଣିପୁର ନିର୍ବାଚନ ପାଇଁ ଆସିନଥିବା ସମ୍ବିତ ପାତ୍ର ପୌର ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ ବୋଲି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି।
ବିଜେପିର ଏହି ତିନି କେନ୍ଦ୍ରୀୟ ନେତା ଖୁବ୍ ଶୀଘ୍ର ଓଡ଼ିଶା ଆସି ପୌର ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ। ପଞ୍ଚାୟତ ନିର୍ବାଚନରେ ଦଳର ପ୍ରମୁଖନେତା ପ୍ରଚାର କରିପାରଲେନି। ତେଣୁ ବହୁ ସିଟ୍ରେ ଅଳ୍ପେକ ହାରିଲୁ। ହେଲେ ପୌର ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିବୁ। ତିନି କେନ୍ଦ୍ରୀୟ ନେତା ସେମାନଙ୍କୁ ଯେଉଁ ତିନିଟି ରାଜ୍ୟର ଦାୟିତ୍ବ ଦିଆଯାଇଥିଲା ସେଠାରେ ଭଲ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାରେ ପ୍ରଚାର କଲେ ଆମେ ଅଧିକ ସିଟ୍ରେ ଜିତିବୁ। ଏହାବାଦ୍ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତା ପ୍ରଚାରରେ ସାମିଲ୍ ହେବେ। ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୌର ନିର୍ବାଚନରେ ପ୍ରଚାର କରିବେ କି ନାହିଁ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି।
ଅପରପକ୍ଷେ ଆସାମ ପୌର ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କ ରଣନୀତି କାମ ଦେଇଥିବାରୁ ଓଡ଼ିଶାରେ ସେ କେଉଁ ରଣନୀତି ପ୍ରୟୋଗ କରୁଛନ୍ତି ଏବଂ ଓଡ଼ିଶା ବିଜେପି ଏଥିରୁ କେତେ ସଫଳତା ପାଉଛି ତାହାକୁ ସମସ୍ତଙ୍କ ଅପେକ୍ଷା।