ପୁରୀ: ଦୁର୍ନୀତିମୁକ୍ତ ତଥା ସ୍ବଚ୍ଛ ସରକାର ପାଇଁ ସମସ୍ତ କର୍ମୀ ସଂକଳ୍ପବଦ୍ଧ। ବିଜେଡି ସରକାର ୫-ଟି ନାଁରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ଲୁଟ୍‌ପାଟ୍‌ କରିଥିଲା। ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତିର ଅନ୍ତୁଡ଼ିଶାଳ ପାଲଟିଥିଲା ଓଡ଼ିଶା। ଏଭଳି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ଦିନରେ ବିଜେପି ଏଭଳି ୫ଟି ପ୍ରସ୍ତାବ ଉପରେ ମୋହର ମାରିଛି। ଆଧୁନିକ, ବିକଶିତ, ଆତ୍ମନିର୍ଭର ଓ କ୍ଷୁଧାମୁକ୍ତ ରାଜ୍ୟ ଗଠନ ପାଇଁ କାମ କରିବୁ ବୋଲି ଦଳୀୟ ନେତା ସଂକଳ୍ପ ନେଇଛନ୍ତି। କେବଳ ସେତିକି ନୁହେଁ, ବିକଶିତ ଓଡ଼ିଶା ପାଇଁ ୧୨ ବର୍ଷିଆ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ବିଜେପି ସରକାର। ୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ମାନ୍ୟତାର ୧୦୦ ବର୍ଷ ପୂର୍ତ୍ତି ପାଳୁଥିବା ବେଳେ, ଆଧୁନିକ ଓଡ଼ିଶାର ରୂପରେଖ ଗଢ଼ା ହୋଇସାରିଥିବ ବୋଲି କାର୍ଯ୍ୟକାରିଣୀରେ ବିଜେପି ସଂକଳ୍ପ ନେଇଛି। ଆଜି କାର୍ଯ୍ୟକାରିଣୀର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆମେ କେବଳ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇନଥିଲୁ, ବରଂ ପ୍ରତିଶ୍ରୁତି ମୁତାବକ କାମ ମଧ୍ୟ ଆରମ୍ଭ କରିଦେଇଛୁ। ଶ୍ରୀମନ୍ଦିର ଚାରିଦ୍ବାର, ରତ୍ନଭଣ୍ଡାର ଖୋଲିବା, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ଶହଟଙ୍କା, ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ଆଦି ପ୍ରସଙ୍ଗରେ ନିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। ଓଡ଼ିଶାବାସୀଙ୍କ ଅତୁଟ ବିଶ୍ବାସକୁ କାର୍ଯ୍ୟରେ ରୂପାନ୍ତରିତ କରିବୁ। ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ସେବାରେ ନିଷ୍ଠା ଓ ପ୍ରତିବଦ୍ଧତା ସହ ବ୍ରତୀ ରହିବୁ।

Advertisment

ନୂଆ ଓଡ଼ିଶା ପାଇଁ ୧୨ ବର୍ଷର ରୋଡ୍‌ମ୍ୟାପ୍‌
ବିକଶିତ ଓଡ଼ିଶା ପାଳିବ ୧୦୦ ବର୍ଷ ପୂର୍ତ୍ତି
‘ସର୍ବାଧିକ ଜମି ସମସ୍ୟା ପୁରୀ ତହସିଲରେ, ୧୫ ଦିନରେ ରିପୋର୍ଟ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି’

ଶ୍ରୀ ପୂଜାରୀ କହିଥିଲେ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢ଼ିବା ପାଇଁ ୧୨ ବର୍ଷ ସମୟ ଲାଗିଥିଲା। ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୨ଶହ ବଢ଼େଇଙ୍କ ଅକ୍ଳାନ୍ତ ଶ୍ରମର ଫଳଶ୍ରୁତି। ତେଣୁ ଆମେ ମଧ୍ୟ ଠିକ୍‌ ୧୨ ବର୍ଷର ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏଥିରେ ତୃଣମୂଳସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୧୨ ହଜାର କର୍ମକର୍ତ୍ତା ନୂଆ ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ଦେଉଛୁ। ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାର ଅସ୍ମିତା ଉପରେ ବିଜେଡି ଆକ୍ରମଣ କରିଥିଲା। ଓଡ଼ିଶାର ଅସ୍ମିତାକୁ ରକ୍ତାକ୍ତ କରିଥିଲା। ଏହି ଅସ୍ମିତାକୁ ରକ୍ଷା ସହ ଏହାକୁ ଆହୁରି ରୁଦ୍ଧିମନ୍ତ କରି ବିଶ୍ବସ୍ତରରେ
ପହଞ୍ଚାଇବାକୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି। କେବଳ ବିକଶିତ ରାଜ୍ୟ ନୁହେଁ, ଓଡ଼ିଶାର ଅସ୍ମିତାକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରସ୍ତାବ ପାରିତ କରିଛୁ। ବିକାଶ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ବିକାଶର ଚରିତ୍ର ମହତ୍ତ୍ବପୂର୍ଣ୍ଣ। ସନ୍ତୁଳିତ, ସାମଗ୍ରିକ ଓ ସମତୁଲ ବିକାଶକୁ ଗୁରୁତ୍ବ ଦିଆଯିବ।

ମନ୍ତ୍ରୀ କହିଥିଲେ, ପୂର୍ବରୁ ପ୍ରତିପକ୍ଷ ସରକାର ଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ପାଇଁ ଯେପରି ଆନ୍ତରିକତା ଦେଖାଇଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ଏଥିସହ ସର୍ବାଧିକ ଜମି ସମସ୍ୟା ପୁରୀ ତହସିଲରେ ରହିଥିବାରୁ ରାଜସ୍ବ ବିଭାଗକୁ ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଏହି ଅବସରରେ କଂଗ୍ରେସର ଆଚରଣ ଓ ଉଚ୍ଚାରଣକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଥିଲା। କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହି ଆହତ କରିଛନ୍ତି। ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ୨୫ ଜୁନ୍‌କୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଥିଲା। ଶ୍ରୀ ପୂଜାରୀଙ୍କ ସହ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ।