ପଦ୍ମପୁର ଉପନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର : ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରାଇ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଇବା ପରେ ବର୍ତ୍ତମାନ ମନ୍ତ୍ରୀ ପଦର କ୍ଷମତାକୁ ଦଳୀୟ ପ୍ରଚାର କାର୍ଯ୍ୟରେ ବିଜେଡି ଲଗାଉଛି। ବିଜେଡି ଏପରି କ୍ଷମତାର ଅପବ୍ୟବହାର କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କ୍ଷମତାକୁ ସଙ୍କୁଚିତ କରୁଛି ବୋଲି ବିଜେପି ସିଇଓଙ୍କ ନିକଟରେ ଅଭିଯୋଗ କରିଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ସିଇଓଙ୍କୁ ଦାବିପତ୍ର ଦେଇଛନ୍ତି ଯେ, ଗତ କାଲି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଏକ ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ଯୋଗ ଦେଇଥିଲେ। ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ କିରଣ ପଣ୍ଡାଙ୍କ ସ୍ୱାମୀ ତଥା ବରଗଡସ୍ଥିତ ଅଞ୍ଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡାଙ୍କ ଦ୍ୱାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଜଣେ ସରକାରୀ ବେତନପ୍ରାପ୍ତ ଅଧ୍ୟାପକ ଭାବେ ଶ୍ରୀ ପଣ୍ଡାଙ୍କ ଦଳୀୟ ସଭା ଆୟୋଜନ କରାଇବା ଦଣ୍ଡନୀୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଟେ । ତେଣୁ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ଗିରଫ ଗିରଫ କରିବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି।

ସେହିପରି ନିଜ ଅଫିସକୁ ଅପବ୍ୟବହାର କରି ସଭାରେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଉପସ୍ଥିତ ଥିବା ସରକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସହ ପ୍ରିଜାଇଡିଂ/ ପୋଲିଂ ଅଫିସର, ନିର୍ବାଚନ ପରିଚାଳନା ଦାୟିତ୍ୱ ସମେତ ଟଙ୍କା ବଣ୍ଟା ସମ୍ପର୍କରେ ଆଲୋଚନା କରିବା ଅନ୍ୟ ଏକ ଦଣ୍ଡନୀୟ ଅପରାଧ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା କାରଣରୁ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ। ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଓ ୧୭୧ ଅନୁଯାୟୀ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ। ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ସମସ୍ତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ରଖାଯିବା ସହ ନିର୍ବାଚନମଣ୍ଡଳୀ ସୀମା ବାହାରକୁ ତଡିପାର କରାଯାଉ ବୋଲି ବିଜେପି ସିଇଓଙ୍କ ନିକଟରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ୍‌ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର