ସୁଖାସୋଡ଼ାରେ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ ସଭା ଓ ପଦଯାତ୍ରା: ‘ଜବାବ ମାଗୁଛି ମା’ ମହାନଦୀ, ଜବାବ ମାଗୁଛି ଚାଷୀ’

୭ ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ

ଝାରସୁଗୁଡ଼ା : ୨୦୧୮ ମେ ମାସ ୧୬ ତାରିଖରେ ଓଡ଼ିଶାରେ ମହାନଦୀର ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲା ସୁଖାସୋଡ଼ାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମହାନଦୀ ସୁରକ୍ଷା ଅଭିଯାନ’ ଆରମ୍ଭ କରିଥିଲେ। ଏହି ସମୟରେ ମହାନଦୀଙ୍କୁ ନିଜର ମା’ ବୋଲି ସମ୍ବୋଧନ କରିଥିଲେ। ଆଜି ସେହି ମହାନଦୀ ଶୁଷ୍କ। ନିଜର ସେହି ପୁଅକୁ କାନ୍ଦି କାନ୍ଦି ଖୋଜୁଛି। ହେଲେ ଚାରି ବର୍ଷ ହେଲା ପୁଅର ଦେଖା ନାହିଁ। ଏପରି କହି ଜବାବ ମାଗିଛି ବିଜେପି କୃଷକ ମୋର୍ଚ୍ଚା। ସୁଖାସୋଡ଼ାରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଯେଉଁ ସ୍ଥାନରୁ ମୁଖ୍ୟମନ୍ତ୍ରୀ ମହାନଦୀଙ୍କୁ ମା’ ବୋଲି ସମ୍ବୋଧନ କରିଥିଲେ ସେଠାରେ ଚାଷୀମାନେ ବସି ୭ଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଉପନିର୍ବାଚନ ସମୟରେ ବିଜେପିର ଏହି କାର୍ଯ୍ୟକ୍ରମ ବିଜେଡିକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି।

କୃଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବାକୁ ଯାଇ ପ୍ରଶ୍ନ କରିଛନ୍ତି ଯେ, ମହାନଦୀ ବଞ୍ଚାଇବା ପାଇଁ ଆପଣ ୨୦୧୮ରେ ସୁଖାସୋଡ଼ା ଗାଁକୁ ଆସିଥିଲେ, ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବା ପାଇଁ ଆପଣଙ୍କୁ ଆଉ କେତେ ବର୍ଷ ଲାଗିବ? ପାର୍ବତୀ ଗିରି ମେଗାଲିଫ୍ଟ ପଏଣ୍ଟରୁ ଚାଷୀର କ୍ଷେତକୁ ପାଣି କେବେ ପହଞ୍ଚିବ? ଡିପ୍‌ ବୋରୱେଲରେ ପରିଶ୍ରମ କରି ଉତ୍ପାଦନ କରିଥିବା ଧାନକୁ ଚାଷୀ ବିକିବ କେଉଁଠି ? ମରୁଡ଼ି ସହାୟତା କେବେ ଦେବେ ? ଆମ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପନିପରିବା ମଣ୍ଡି ଓ ଶୀତଳଭଣ୍ଡାର କେବେ ପ୍ରତିଷ୍ଠା ହେବ ? ମହାନଦୀ ପ୍ରସଙ୍ଗ ଆପଣଙ୍କ ଦଳ ପାଇଁ ରାଜନୀତି ନା ଓଡ଼ିଶାକୁ ମହାନଦୀର ପାଣି ? ବିସ୍ଥାପିତ ଅଞ୍ଚଳର ଚାଷୀ ଉତ୍ପାଦନ କରୁଥିବା ଧାନକୁ ଓଡ଼ିଶା ସରକାର କିଣିବ ‌କେବେ ନା ଅଭାବୀ ବିକ୍ରି ପାଇଁ ଚାଷୀଙ୍କୁ ତାଙ୍କ ରାସ୍ତାରେ ସରକାର ଛାଡ଼ିଦେବେ ? ଏଭଳି ପ୍ରଶ୍ନବାଣରେ ବିଜେପି କୃଷକ ମୋର୍ଚ୍ଚା ଆଜି ସରକାରଙ୍କୁ ଅଡ଼ୁଆରେ ପକାଇଛି। ସେହିପରି ମହାନଦୀ ଜଳ ସଂରକ୍ଷଣ ଲାଗି ମଣିଭଦ୍ରା, ମୁଣ୍ଡୁଳୀ ପରି ଅନେକ ସ୍ଥାନରେ ବ୍ୟାରେଜ୍‌ ତିଆରି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖାସୋଡ଼ାରେ ଚାଷୀଙ୍କୁ ସ୍ୱପ୍ନ ଦେଖାଇଥିଲେ। ହେଲେ ଚାଷୀକୂଳର ସେହି ସ୍ୱପ୍ନ ଏପର୍ଯ୍ୟନ୍ତ ପୂରଣ ହେଲାନି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ମାତ୍ରାରେ ପନିପରିବା ଚାଷ ହେଉଥିଲେ ସୁଦ୍ଧା ବିକ୍ରି କରିବା ପାଇଁ ବିଜେଡି ସରକାର ୨୨ ବର୍ଷରେ ଗୋଟିଏ ହେଲେ ମଣ୍ଡି ବ୍ୟବସ୍ଥା କରିପାରି ନାହିଁ। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅନେକ  ମେଗା ଲିଫ୍ଟ ପଏଣ୍ଟ ତିଆରି କରାଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ଏ ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି। କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଦ୍ଵିତୀୟା ଭୋଇ ଅଧ୍ୟକ୍ଷତା କରିଥିବା ବେଳେ  ଜିଲ୍ଲା ସଭାପତି ମୁରାରୀ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରେମାନନ୍ଦ ପଟ୍ଟନାୟକ, ଟିକାୟତ ସାହୁ , କୃଷକ ମୋର୍ଚ୍ଚା ପଞ୍ଚଗାଁ ମଣ୍ଡଳ ସଭାପତି ସମ୍ରାଟ ମେହେର, ବିଜେପି ଜିଲ୍ଲା ସାଧାରଣ ସଂପାଦକ ସଦାନନ୍ଦ ସା, ଜନାର୍ଦ୍ଦନ ପଣ୍ଡା, ଅଯୋଧ୍ୟା ଚିଇନି, ଗିରୀଶ ରାଉତ, ନିମେଇଁ ସାହୁ, ଭୀଷ୍ମଦେବ ସହୁ, ଚନ୍ଦ୍ରମଣି ସେଠ, ନବୀନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର