ଭୁବନେଶ୍ବର : ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ୍ର ବାଗଲପୁର ଅଞ୍ଚଳ ପରିଦର୍ଶନ କରିଥିଲେ। ସେମାନେ ବିଭିନ୍ନ ଗ୍ରାମର ଚାଷ ଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ କହିଛନ୍ତି, ବାତ୍ୟାରେ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଧାନ, ଆଖୁ, ନଡ଼ିଆ ଓ ପନିପରିବା ଫସଲ ଛାରଖାର ହୋଇଛି। ଚାଷୀର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ବାତ୍ୟାର ୮ ଦିନ ବିତିଯାଇଥିଲେ ବି କ୍ଷତିଗ୍ରସ୍ତ ଚାଷ ଜମିକୁ କୃଷି ବିଭାଗର କୌଣସି ଅଧିକାରୀ ଏ ପର୍ଯ୍ୟନ୍ତ ଆସି ନାହାନ୍ତି କି କ୍ଷୟକ୍ଷତି ଆକଳନ କରି ନାହାନ୍ତି।
ଏହି ପ୍ରତିନିଧି ଦଳ କଣ୍ଟାପଡ଼ା ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ପ୍ରତିନିଧି ଦଳରେ ମହେଶ୍ବର ସାହୁ, କୃଷ୍ଣ ଜଗଦ୍ଦେବ, ଶ୍ରୀରଞ୍ଜନ ମଙ୍ଗରାଜ, ରବି ନାରାୟଣ ମହାପାତ୍ର, ଅଶୋକ ରଥ, ନମିତା ମିଶ୍ର, ଶକୁନ୍ତଳା ମହାପାତ୍ର, ଅମରେଶ୍ବର ମିଶ୍ର, ସଞ୍ଜୀବ ରଣା, ଅଶୋକ ସେଠୀ ଓ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ହୋଇଥିଲେ।
ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବାଲିକେରା, ରାହାଡ଼ମଲ, ରେବଣା ନୂଆଗାଁ ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ବାତ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ।