ଚାଷୀଙ୍କ ପାଇଁ ରାଜଧାନୀରେ ବିକ୍ଷୋଭ : ସଚିବାଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ବର : ଚାଷ ଓ ଚାଷୀଙ୍କ ପାଇଁ ବିଜେଡି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଠାରୁ ହକ୍ ମାଗୁଥିଲା ବେଳେ ବିଜେପି ଭୁବନେଶ୍ବରରେ ଜବାବୀ ଶୋଭାଯାତ୍ରା ଆ‌ୟୋଜନ କରିଥିଲା। ବିଜେପି କୃଷକ ମୋର୍ଚ୍ଚା ବ୍ୟାନର୍‌ରେ ଏକ ବିଶାଳ ଶୋଭାଯାତ୍ରା‌ କରାଯାଇ ରାଜ୍ୟ ସରକାରଙ୍କ ଠାରୁ ଚାଷୀଙ୍କ ହକ୍ ମଗାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ସଚିବାଳୟ ଅଭିମୁଖେ ଯାଇଥିଲା। ସେଠାରେ ପୁଲିସ୍‌ ବ୍ୟାରିକେଡ୍‌ ଭାଙ୍ଗି ଆନ୍ଦୋଳନକାରୀମାନେ ସଚିବାଳୟ ଆଡ଼କୁ ଯାଉଥିଲା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଆନ୍ଦୋଳନକାରୀ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହେଲା ପରେ ପୁଲିସ୍ ସେମାନଙ୍କୁ ଗିରଫ କରି ନେଇଥିଲା। ବିଜେପି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ପୁଲିସ୍ ଆଜି ନାକେଦମ ହୋଇଥିଲା। ଅପରାହ୍ନରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଚାଷ ଓ ଚାଷୀଙ୍କ ବିଭିନ୍ନ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଧାନ ମଣ୍ଡି ନ ଖୋଲିବା ଓ ମୋଦୀ ସରକାରଙ୍କ ଦ୍ବାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ନ ମିଳିବା ପ୍ରତିବାଦରେ ୮ ତାରିଖରେ ସଚିବାଳୟ ଘେରାଉ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ପୂର୍ବରୁ ଘୋଷଣା କରିଥିଲା। ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ ଓ ଦଳୀୟ କର୍ମୀଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟରେ ଅସ୍ଥାୟୀ ଟେଣ୍ଟ୍ ବନ୍ଧାଯାଇ ‌େସମାନଙ୍କର ରହିବା ବନ୍ଦୋବସ୍ତ କରାଯାଇଥିଲା। ଆଜି ଦିନ ପ୍ରାୟ ୧୧ଟାରେ ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ପ୍ରଦର୍ଶନୀ ପଡ଼ିଆ ଦେଇ ସଚିବାଳୟ ଆଡ଼କୁ ଯାଇଥିଲା। ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକାରୀମାନେ ନାରାବାଜି କରି ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ।

ବନ୍ଦ ବେଳେ ବିଜେପିର ଏପରି ଶୋଭାଯାତ୍ରାର ଆୟୋଜନ କମିସନରେଟ୍‌ ପୁଲିସ୍‌କୁ ଅଡ଼ୁଆରେ ପକାଇ ଦେଇଥିଲା। ବନ୍ଦ ପାଇଁ ପୁଲିସ୍ ଯେତିକି ନାକେଦମ୍ ହୋଇ ନ ଥିଲା, ଶୋଭାଯାତ୍ରା ପାଇଁ ତାହା ଠାରୁ ଅଧିକ ବିବ୍ରତ ହୋଇପଡ଼ିଥିଲା। ଶୋଭାଯାତ୍ରା ଯାଉଥିବା ରାସ୍ତାରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା। ସଚିବାଳୟର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସଚିବାଳୟ ଆଖପାଖ ଅଞ୍ଚଳକୁ ପୁଲିସ୍‌ ଛାଉଣି କରିଦିଆଯାଇଥିଲା।

ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବିଜେପି ଶୋଭାଯାତ୍ରା କେଶରୀ ହଲ୍ ନିକଟରେ ପହଞ୍ଚିଲା ପରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଗୋଟିଏ ବ୍ୟାରିକେଡ୍‌ ଭାଙ୍ଗି ଆନ୍ଦୋଳନକାରୀମାନେ ଆଗକୁ ଯାଉଥିଲା ବେଳେ ପୁଲିସ୍‌ର ପୂରା ଦମ୍‌ରେ ସେମାନଙ୍କ ବାଟ ଓଗାଳିଥିଲା। ସେଠାରେ ତାରବାଡ଼ ଡେଇଁ ଆଉ ଆନ୍ଦୋଳନକାରୀମାନେ ଆଗକୁ ଯାଇପାରି ନ ଥିଲେ।

ଏହା ପରେ ଆନ୍ଦୋଳନକାରୀମାନେ ରାସ୍ତାରେ ବସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଆନ୍ଦୋଳନକାରୀମାନେ ଆଣିଥିବା ଧାନ ବସ୍ତାକୁ ତଳେ ରଖି ଅଭିନବ ଉପାୟରେ ମଣ୍ଡି ଖୋଲିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ ଅର୍ଥରେ ଧାନ କିଣିବାକୁ ସରକାରଙ୍କୁ ଆହ୍ବାନ ଦେଇଥିଲେ। ପାଖାପାଖି ଦୁଇ ଘଣ୍ଟା ଆନ୍ଦୋଳନକାରୀମାନେ ରାସ୍ତାରେ ବସିଲା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରି ନେଇିଥଲା।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି କହିଥିଲେ, ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଧାନମଣ୍ଡି ଖୋଲିବାରେ ବିଳମ୍ବ କରିଚାଲିଛନ୍ତି। ଚାଷୀ ପରିବାର ହତାଶ ହୋଇ ନିଜ ଧାନକୁ ଶାଗ ମଛ ଦରରେ ଦଲାଲକୁ ବିକିବାକୁ ବାଧ୍ୟ ହେଉଛନ୍ତି। ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିଲା ବେଳେ ରାଜ୍ୟ ସରକାର ଚାଷୀ ପ୍ରସଙ୍ଗକୁ ଗୁରୁତ୍ବ ନ ଦେଇ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି। ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଓ ଚାଷୀ ଶୋଷଣ କାରଣରୁ ସାରା ରାଜ୍ୟରେ ଧାନ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇ ମୋଦୀ ସରକାର ଧାର୍ଯ୍ୟ କରିଥିବା କ୍ବିଣ୍ଟାଲ ପିଛା ୧୭୫୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଯୋଗାଣ ବିଭାଗ ଚାଷୀ ସ୍ବାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ୨୦୧୨ରେ କୃଷି କମିସନ୍ ଗଠନ ହୋଇଥିବା ସତ୍ତ୍ବେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲାନି। କେନାଲ ଯୋଗେ ଜମି ଜଳସେଚନ, ଶୀତଳ ଭଣ୍ଡା ନିର୍ମାଣ, ଆଳୁ ମିସନ୍, ପିଆଜ ମିସନ୍ ସବୁଥିରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ।

ବିକ୍ଷୋଭରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁ, ରାଜ୍ୟ ପ୍ରଭାରୀ ରାକେଶ ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ, ଶ୍ରୀରଞ୍ଜନ ମଙ୍ଗରା, ସମୀର ପାତ୍ର, ରବି ମହାପାତ୍ର, କୃଷ୍ଣ ଜଗଦ୍ଦେବ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ନେତା ଆନ୍ଦୋଳନ‌େର ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର