ଭୁବନେଶ୍ୱର: ବିଡିଓମାନଙ୍କ ଆର୍ଥିକ କ୍ଷମତାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଗତକାଲି ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା ବେଳେ ବିଜେଡି ଏହାକୁ କଡ଼ା ସମାଲୋଚନା କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ ଓ ଉପସଭାପତି ପ୍ରତାପ ଜେନା କହିଲେ, ଏହି ନିଷ୍ପତ୍ତି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ନବୀନ ସରକାରଙ୍କ ସମୟରେ ପଞ୍ଚାୟତ ସମିତିକୁ ଯଥେଷ୍ଟ କ୍ଷମତା ପ୍ରଦାନ କରାଯାଉଥିଲା। ବର୍ତ୍ତମାନର ବିଜେପି ସରକାର ପଞ୍ଚାୟତ ସମିତିର କ୍ଷମତା ପ୍ରତ୍ୟାହାର କରିବା ପାଇଁ ଅପଚେଷ୍ଟା କରୁଛି।

Advertisment

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରାଘାତ ସଦୃଶ। ପୂର୍ବରୁ ୨ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ବିଲ୍ ଆସିଲେ ସେଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତି ସ୍ୱାକ୍ଷର ଆବଶ୍ୟକ ଥିଲା। ପରିବର୍ତ୍ତିତ ନିୟମ ଅନୁଯାୟୀ, ବିଲ୍ ମୂଲ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ଥିଲେ କେବଳ ବିଡିଓଙ୍କ ସ୍ୱାକ୍ଷର ରହିବ। ପଞ୍ଚାୟତ ସମିତି ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟର ବିଲ୍ ମୂଲ୍ୟ ପ୍ରାୟତଃ ୧୦ ଲକ୍ଷରୁ ତଳେ ରହିଥାଏ। କାଁ ଭାଁ ଗୋଟିଏ ଅଧେ ବିଲ୍ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଥାଏ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତି କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ। ସରକାରଙ୍କ ଏପରି ନିଷ୍ପତ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଥିବାରୁ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କୁଠାରାଘାତ। ରାଜ୍ୟର ଅଧିକାଂଶ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ଥିବାରୁ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଅପର ପକ୍ଷରେ ଏହା କେବଳ ବାବୁରାଜ୍‌କୁ ପ୍ରୋତ୍ସାହନ ଯୋଗାଉଛି। ସରକାର ନିଜ କ୍ଷମତାର ଅପବ୍ୟବହାର କରି ଏପରି ନିଷ୍ପତ୍ତି ନେଇଛନ୍ତି। ବିଡିଓମାନଙ୍କୁ ହାତବାରିସି କରି ଏବଂ ସେମାନଙ୍କ ଉପରେ ଚାପ ପକାଇ ପଞ୍ଚାୟତରେ ହେଉଥିବା କାର୍ଯ୍ୟଗୁଡ଼ିକରୁ ବିଜେପି ନେତାମାନେ କିପରି ପିସି ଆଦାୟ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି। ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ, ରାଜ୍ୟର ସମସ୍ତ ବ୍ଲକର ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚମାନଙ୍କୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ।