ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସିଏଏ ନାଗରିକତା ନେବାର ନୁହେଁ, ବରଂ ନାଗରିକତା ଦେବାର ଆଇନ୍। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ବିଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ ବା ସଂଖ୍ୟାଲଘୁ ବ୍ୟକ୍ତି ଏହି ଆଇନ ଦ୍ୱାରା ନାଗରିକତା ହରାଇବେ ନାହିଁ। ଏହା ମୁଁ ଅତ୍ୟନ୍ତ ଦୃଢ଼ତାର ସହ କହୁଛି।
ବିରୋଧୀ ଦଳମାନେ ଭାରତୀୟମାନଙ୍କୁ ପଥଭ୍ରଷ୍ଟ କରିବାକୁ ସିଏଏର ଭୁଲ ତର୍ଜମା କରୁଛନ୍ତି। ଏହି ଆଇନର କେଉଁଠି ହେଲେ ବି କାହାର ନାଗରିକତା ହରାଇବାର ପ୍ରାବଧାନ ନାହିଁ। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଁ ସଂସଦରେ ଘୋଷଣା କରିଛୁ। ଯେଉଁ ସଂଖ୍ୟାଲଘୁମାନେ ପଡୋଶୀ ରାଷ୍ଟ୍ରରେ ଧର୍ମିକ ହିଂସାର ଶିକାର ହୋଇ ଭାରତ ପଳାଇ ଆସିଛନ୍ତି, ସେମାନଙ୍କୁ ଏହି ଆଇନ ନାଗରିକତା ପ୍ରଦାନ କରିବ।
/sambad/media/post_attachments/wp-content/uploads/2020/02/amit-shah-3-1024x607.jpg)
ଏଥିସହ ଅମିତ ଶାହା ନିଜର ଅଭିଭାଷଣରେ କହିଥିଲେ, ସିଏଏକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କମ୍ୟୁନିଷ୍ଟ ବିରୋଧ କରିଛନ୍ତି। ସେମାନେ କହୁଛନ୍ତି ସିଏଏ ଯୋଗୁଁ ଦେଶର ଅସୁବିଧା ହେବ। କିନ୍ତୁ ମୁଁ କହୁଛି, ସିଏଏ କାହାର ନାଗରିକତା ଛଡାଇ ନେବ ନାହିଁ। ବରଂ ଏହା ନାଗରିକତା ପ୍ରଦାନ କରିବ। ଏହା ଦ୍ବାରା କୌଣସି ମୁସଲମାନଙ୍କର ଅସୁବିଧା ହେବ ନାହିଁ। ବିଗତ ୭୦ ବର୍ଷ ମଧ୍ୟରେ ଅନେକ ଲୋକ ନାଗରିକତା ଅଧିକାର ହରାଇଛନ୍ତି । ସେମାନେ ରହିବେ କେଉଁଠି, ଖାଇବେ କ’ଣ। କଂଗ୍ରେସର ନେତା ୨୭ଥର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଲେ କ’ଣ? ଯେଉଁମାନେ ନିଜର ଧର୍ମକୁ ବଞ୍ଚାଇବା ପାଇଁ ଭାରତର ଶରଣ ନେଇଛନ୍ତି ସେମାନଙ୍କୁ ନାଗରିକତା ମିଳିବା ଦରକାର।
ଓଡ଼ିଶାର ଅନେକ ସ୍ଥାନ ବୁଲିଛି ବୋଲି ଅମିତ ଶାହା ଭାଷଣ ଆରମ୍ଭରୁ କହିଥିଲେ। ସେ କହିଥିଲେ, ମୋତେ ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ବିଶେଷ ପାର୍ଥକ୍ୟ ଲାଗେ ନାହିଁ। ଓଡ଼ିଶା ଓ ଗୁଜୁରାଟ ମାଟି ସହିତ ଭଗବାନ ଶ୍ରୀଜଗନ୍ନାଥଙ୍କ ଘନିଷ୍ଠ ସଂପର୍କ ରହିଛି। ଉଭୟ ରାଜ୍ୟକୁ ଶ୍ରୀଜଗନ୍ନାଥ ସଂସ୍କୃତି ଯୋଡୁଛି। ‘ବିଶାଳ ସମାବେଶ’କୁ ସମ୍ବୋଧନ କରି ଶାହା କହିଥିଲେ, ଉତ୍କଳର ଜନତା ଧନ୍ୟବାଦର ପାତ୍ର। ଓଡ଼ିଶାବାସୀ ବିଜେପିକୁ ସଂସଦରେ ୮ଟି ଆସନ ଦେଇ ନରେନ୍ଦ୍ର ମୋଦୀ ସରକାର ତଥା ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ଜଣାଇଛନ୍ତି।
ଏତେ ବର୍ଷ ପରେ କଂଗ୍ରେସ ସଂସଦରେ ମୁଖ୍ୟ ବିରୋଧୀ ଦଳ ଆସନରୁ ହଟିଥିବା ବେଳେ ଓଡ଼ିଶା ବିଧାନସଭାରେ ବିଜେପି ବିରୋଧୀ ଦଳ ଭାବେ ଉଭା ହୋଇଛି। ଓଡ଼ିଶାରେ ବିଜେପିକୁ ୯୧ ଲକ୍ଷ ଭୋଟ ମିଳିଛି। ଆମକୁ ଆଉ ଏକ ପାଦ ଆଗକୁ ବଢ଼ିବାର ଅଛି। ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ୫ ବର୍ଷରେ ଯେଉଁ କାମ କରିଛନ୍ତି, କଂଗ୍ରେସର ୫୫ ବର୍ଷର ଶାସନ ଠାରୁ ଢେର ଗୁଣ ଅଧିକ। ମୋଦୀ ସରକାର ରାଜ୍ୟରେ ବହୁ ବିକାଶମୂଳକ କାମ କରିଛନ୍ତି। ସଡ଼କ ଓ ରେଳପଥର ବିକାଶ ହୋଇଛି। ପ୍ରଧାନମନନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ୱଳା ଯୋଜନାରେ ମହିଳାଙ୍କୁ ଗ୍ୟାସ ବିତରଣ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ, ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଶସ୍ତାରେ ଔଷଧ ଯୋଗାଣ, ଭଦ୍ରକରେ ଟେକ୍ସଟାଇଲ ପାର୍କ, ଖୋର୍ଦ୍ଧାରେ ପାଇକ ସ୍ମାରକ, ମୁଦ୍ରା ବ୍ୟାଙ୍କ ଯୋଜନା ଓଡ଼ିଶାର ଲୋକଙ୍କୁ ଲାଭାନ୍ଵିତ କରିଛି।
ସଭାରେ ଜନତାଙ୍କୁ ସମ୍ବୋଧନ କରି ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ନେତୃତ୍ୱରେ କ୍ରମାଗତ ୧୦ ବର୍ଷର ଶାସନ କରିଥିଲା କଂଗ୍ରେସ ସରକାର। କିନ୍ତୁ ଏହି ସରକାର ଦ୍ୱାରା ଓଡ଼ିଶାର ବିକାଶ ହୋଇପାରି ନାହିଁ। କିନ୍ତୁ ମୋଦୀ ସରକାରରେ ଓଡ଼ିଶାର ବହୁ କାମ କରିଛି। ଗୁଜୁରାଟ ଭଳି ଉତ୍କଳର ବିକାଶ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ।
ସେହିଭଳି ନିଜ ଅଭିଭାଷଣରେ ଶାହା କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଗତ ଅଗଷ୍ଟ ୫ରେ କଶ୍ମୀରରୁ ଧାରା ୩୭୦ ହଟାଇ ମୋଦୀ ଐତିହାସିକ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଦ୍ବାରା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏଥିଲାଗି ଟ୍ରଷ୍ଟ ଗଠନ ହୋଇସାରିଛି। ମୋଦୀ ସରକାର ଦେଶର ଆର୍ଥିକ ବିକାଶ ହାରକୁ ବଢ଼ାଇ ବିଶ୍ୱର ୩ୟ ଆର୍ଥିକ ସମୃଦ୍ଧ ଦେଶ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ନବୀନ ସରକାର ମୋଦୀଙ୍କ ବିକାଶ ମୂଳକ କାମକୁ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ ବୋଲି ଶାହା କହିଛନ୍ତି।
ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଜାତୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା ସମ୍ବିତ ପାତ୍ର, ଜୁଏଲ ଓରାମ, ଅରୁଣ ସିଂହ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।