ପରଲୋକରେ ବିଜେପି ନେତା ଅଶୋକ ସାହୁ

କଟକରେ ଶେଷକୃତ୍ୟ, ଝୁରୁଛି ଜନ୍ମମାଟି ଜୟପୁର

କଟକ/ଜୟପୁର : ବିଜେପିର ବରିଷ୍ଠ ନେତା, ପୂର୍ବତନ ଆଇପିଏସ୍ ଅଫିସର ଅଶୋକ ସାହୁ(୬୮)ଙ୍କର ଆଜି କଟକ ପିଠାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ଗତ ଅଗଷ୍ଟ ମାସରେ ସ୍ବର୍ଗତ ସାହୁଙ୍କ ମସ୍ତିଷ୍କାଘାତ ତଥା ପକ୍ଷାଘାତ ଯୋଗୁଁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର ୫ଟାରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଅଶୋକଙ୍କ ମୃତ୍ୟୁଖବର ପ୍ରଚାର ହେବା ପରେ ତାଙ୍କର ଶୁଭେଚ୍ଛୁ ଓ ପରିବାରବର୍ଗଙ୍କ ସମେତ ଜନ୍ମମାଟି ଜୟପୁରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଅପରାହ୍ନରେ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସତୀଚଉରାଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି।

ଜୟପୁର ସହରର ସ୍ବର୍ଗତ ନୀଳକଣ୍ଠ ସାହୁ ଓ ଶୁଭ୍ରମଣି ସାହୁଙ୍କ ପୁଅ ଅଶୋକ ପିଲାଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ବାପା, ମା’ଙ୍କ ସାତ ସନ୍ତାନ ମଧ୍ୟରେ ସେ ଥିଲେ ଦ୍ବିତୀୟ। ଜୟପୁର ଜେଇଏଲ୍‌ସି ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ସରିବା ପରେ ସ୍ଥାନୀୟ ବିକ୍ରମଦେବ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ପ୍ରବଳ ଧୀଶକ୍ତି ସାଂଗକୁ ଗଭୀର ଆତ୍ମବିଶ୍ବାସ ତାଙ୍କ ନିକଟରେ ବାଲ୍ୟଜୀବନରୁ ହିଁ ଦେଖିବାକୁ ମିଳିଥିଲା। ବିକ୍ରମଦେବ ମହାବିଦ୍ୟାଳୟରେ ପାଠପଢ଼ା ସାରି ସେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିବା ସହିତ ପରବର୍ତ୍ତୀ ସମୟରେ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଥିଲେ। ୧୯୭୫ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦେଇ ଆସାମ-ମେଘାଳୟ କ୍ୟାଡରରେ କାର୍ଯ୍ୟାରମ୍ଭ କରିଥିଲେ। ଏଡିଜି ପାହ୍ୟାରେ ରହି ସେ ଆସାମରେ ଉଗ୍ରବାଦ କାର୍ଯ୍ୟକଳାପ ଦମନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ୧୯୯୭ରେ ସେ ସ୍ବେଚ୍ଛାକୃତ ଅବସର ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ଜଡ଼ିତ ହୋଇ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ଦଳୀୟ ସଂଗଠନରେ ରହି ସେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ସହ ଗୋମାତାର ସୁରକ୍ଷା, ହିନ୍ଦୁଧର୍ମର ରକ୍ଷା ଉପରେ କାର୍ଯ୍ୟ କରୁଥିଲେ। ବିଜେପିରେ ବିଭିନ୍ନ ପଦପଦବିରେ କାର୍ଯ୍ୟ କରିବା ସହ ସେ କିଛି କାଳ ରାଜ୍ୟ ଉପସଭାପତି ମଧ୍ୟ ରହିଥିଲେ। ୨୦୦୯ରେ ସେ କନ୍ଧମାଳ ଲୋକସଭା ଆସନ ଏବଂ ୨୦୧୪ରେ ପୁରୀ ଲୋକସଭା ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ୨୦୧୪ରେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲେ ବି ପରବର୍ତ୍ତୀ ସମୟରେ ତାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା। ସ୍ପଷ୍ଟ, ନିର୍ଭୀକ ତଥା ଆକ୍ରମଣାତ୍ମକ ବିବୃତି ରଖି ଓଡ଼ିଶା ରାଜନୀତିରେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ସେ ରାଜନୀତି ସହିତ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି ମଧ୍ୟ କରୁଥିଲେ।ସ୍ବର୍ଗତ ସାହୁଙ୍କ ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ବିୟୋଗରେ ଜନ୍ମମାଟି ଜୟପୁରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇବା ସହ ଜଣେ ବିଚକ୍ଷଣ ଜୟପୁରିଆଙ୍କ ଦେହାନ୍ତ ହୋଇଗଲା ବୋଲି ମତ ପ୍ରକାଶ ପାଇଛି।

ଅଶୋକ ସାହୁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦେ, ନୟନ କିଶୋର ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଦିଲ୍ଲୀପ ମଲ୍ଲିକ, ସିକନ୍ଦର ଅଲ୍ଲୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ସ୍ବର୍ଗତ ସାହୁଙ୍କ ବି‌ୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର