ରାଜ‌ନୈତିକ ଅଭିସନ୍ଧି ରଖି ବିଜେପି ନେତ୍ରୀଙ୍କୁ ଅପମାନିତ କରାଯାଉଛି

ଭୁବନେଶ୍ବର : ବିଜେଡି ଶାସନରେ ରାଜ୍ୟର ଅଗଣିତ ମା’ ଭଉଣୀ ଆଦୌ ସୁରକ୍ଷିତ ନାହାନ୍ତି। ଏପରିକି ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରି ବର୍ତ୍ତମାନ ନୂତନ କୌଶଳ ଆପଣାଇ ନାରୀଙ୍କୁ ଅସମ୍ମାନ କରାଯାଉଛି। ରାଜନୈତିକ ଅଭିସନ୍ଧି ରଖି ବିଜେପିର ଅନେକ ନେତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ କଦର୍ଯ୍ୟ ଭାଷାରେ ଅପମାନିତ କରାଯାଉଛି। ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେଡି ଆଇଟି ସେଲ୍‌ର କାର୍ଯ୍ୟକର୍ତ୍ତାମାନେ ଅପଶବ୍ଦ ଓ ଅଭଦ୍ର ଭାଷା ପ୍ରୟୋଗ କରୁଛନ୍ତି। ଏହା ଅତ୍ୟନ୍ତ ଧର୍ତ୍ତବ୍ୟ ଅପରାଧ। ମୁଖ୍ୟମନ୍ତ୍ରୀ ଏସବୁ ଜାଣି କିପରି ଏହାକୁ ପ୍ରଶ୍ରୟ ଦେଉଛନ୍ତି? ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଆମେ ଏନେଇ ଜୁନ୍‌ ୩୦ରେ ସାଇବର ଥାନାର ଏବଂ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲୁ। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ପୂର୍ବରୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ ଭାଇରାଲ ଘଟଣାରେ ପୁଲିସ ଜଣେ ବିଜେପି କର୍ମୀଙ୍କୁ ଅଯଥାରେ ଗିରଫ କରିଥିଲା। କିନ୍ତୁ ଏବେ ଆମ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ଚରିତ୍ର ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ‌ରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଗଣମାଧ୍ୟମ ସଂଯୋଜିକା‌ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର