ବିଜେପିକୁ ଦାମ ଝଟ୍‌କା! : ବିଜେଡିରେ ରଘୁନନ୍ଦନ

ଜଗତସିଂହପୁର/ବାଲିକୁଦା : ଡାକ୍ତର ଦାମୋଦର ରାଉତଙ୍କୁ ଦଳକୁ ନେଇ ବିଜେପି ଯେଉଁ ଫାଇଦା ନେବାର ଯୋଜନା କରିଥିଲା, ସେଥିରେ ଲାଗିଛି ବଡ ଧରଣର ଝଟକା। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଅନ୍ୟତମ ପ୍ରଭାବଶାଳୀ ନେତା ରଘୁନନ୍ଦନ ଦାସ ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ୨୦୧୪ରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ବାଲିକୁଦା-ଏରସମାରୁ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିବା ରଘୁନନ୍ଦନ ଏଥର ବିଜେପି ଟିକେଟ ଆଶାୟୀ ଥିଲେ। ହଠାତ୍ ଦାମ ବିଜେପିକୁ ଆସିବା ପରେ ସେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକଟ କରିଥିଲେ। ଫଳରେ ରଘୁନନ୍ଦନ ଓ ତାଙ୍କର ଅନୁଗତମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ରଘୁନନ୍ଦନ ବିଜେଡିରେ ସାମିଲ ହେବା ପରେ ସେ ଏବେ ବିଜେଡି ଟିକେଟ ଦାବିଦାର ହୋଇଛନ୍ତି। ସେହିପରି ପାରାଦୀପରେ ଆସନରେ ପ୍ରମୁଖ ଦାବିଦାର ଥିବା ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଯୁବ ନେତା ସମ୍ପଦ ସ୍ବାଇଁଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦାମ ପାରାଦୀପ ଆସନରୁ ଲଗାତର ଭାବେ ଦୁଇ ଥର ନିର୍ବାଚିତ ହୋଇଛନ୍ତି। ସେଥିପାଇଁ ଅନୁଗତମାନେ ଦାମ ପୁଣି ଥରେ ପାରାଦୀପରୁ ଲଢନ୍ତୁ ବୋଲି ଦାବି କରୁଛନ୍ତି। ଏଭଳି ସ୍ଥିତିରେ ରଘୁନନ୍ଦନଙ୍କ ରାସ୍ତାରେ ଯଦି ସମ୍ପଦ ଯିବେ, ତେବେ ପାରାଦୀପରେ ବିଜେପି ସୁଦୃଢ ହେବା ବଦଳରେ ହୁଏତ ଦୁର୍ବଳ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର