ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ପଞ୍ଚାନନ ମୁଖ୍ୟ ଅଭିଯୁକ୍ତ, ୪ ଗିରଫ

ଠେଙ୍ଗା, ଖଣ୍ତା, ମୋବାଇଲ, ବାଇକ ଜବତ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣାର ପାଖାପାଖି ୬୦ ଘଣ୍ଟା ପରେ ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ତା’ ୩ ସହଯୋଗୀକୁ ଗିରଫ କରାଯାଇଥିବା କଟକ ଜିଲ୍ଲା ଏସପି ବି. ଯୁଗଳ କିଶୋର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଠେଙ୍ଗା, ଗୋଟିଏ ବାଇକ ଓ ୪ଟି ମୋବାଇଲ୍ ଫୋନକୁ ପୁଲିସ ଜବତ କରିଛି। କେବଳ ସେତିକି ନୁହେଁ, ପଞ୍ଚାନନ ସେଠୀକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୁଲିସ ତଦନ୍ତକୁ ଆଗକୁ ବଢାଇଛି। ଏହି ଘଟଣାରେ ସଂପୃ୍କ୍ତ ନେଇ ଅଭିଯୋଗ ହୋଇଥିବା ସ୍ଥାନୀୟ ବିଜେଡି ନେତା ଭିକାରୀ ସ୍ବାଇଁ ଓ ଅନ୍ୟମାନେ ପୁଲିସ ହାତରେ ଧରାପଡ଼ିନାହାନ୍ତି। ଅନ୍ୟପଟେ ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର କାରଣକୁ ନେଇ ପୁଲିସ ଚୁପ୍ ରହିଛି। ବର୍ତ୍ତମାନ ତଦନ୍ତ ଚାଲିଛି, ଆଗକୁ ସବୁ କିଛି ସ୍ପଷ୍ଟ ହେବ ‌କହି ଏସ୍‌ପି ଯୁଗଳ କିଶୋର ମୂଳ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ସାଲେପୁର ବିଜେପିର ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖ ସନ୍ଧ୍ୟାରେ ରାସ୍ତା ଉପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାମରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ।

ଏଫ୍‌ଆଇଆରରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବି ରମାକାନ୍ତ ଉଲ୍ଲେଖ କରିଥିଲେ। କିନ୍ତୁ ପୁଲିସ କହିବା ଅନୁଯାୟୀ ଏହି ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଯଁକୋଟି ଗ୍ରାମର ପଞ୍ଚାନନ ସେଠୀ (୨୮)। ପଞ୍ଚାନନ ସହିତ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସେହି ଗ୍ରାମର ଅରୁ ଓରଫ ଅରବିନ୍ଦ ଖଟୁଆ (୨୭), ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ (୪୫) ଓ ଲଳିତ ମୋହନ ବରାଳ (୭୫)ଙ୍କୁ ଗିରଫ କରାଯାଇଛି। ଗିରଫ ଅରବିନ୍ଦର ବାପାଙ୍କ ନାଁ ଏଫଆଇଆର୍‌ରେ ଥିବା ବେଳେ ମୋବାଇଲ୍ ଫୋନ୍ ଟ୍ରାକିଂରୁ ଅରବିନ୍ଦର ସଂପୃକ୍ତି ସନ୍ଦେହ ହେବାରୁ ତାକୁ ଗିରଫ କରାଯାଇଛି। ଅରବିନ୍ଦର ବାପା କିନ୍ତୁ ଏବେ ଫେରାର ଅଛି।

ଏସ୍‌ପି କହିବା ଅନୁଯାୟୀ ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ୍ ଗଠନ କରାଯାଇଥିଲା। କେନ୍ଦ୍ରା‌ଞ୍ଚଳ ଡି.ଆଇ.ଜି. ଆଶିଷ ସିଂହଙ୍କ ନେତୃତ୍ବରେ ଅତିରିକ୍ତ ଏସ୍‌ .ପି. ଅଲେଖ ଚନ୍ଦ୍ର ପହି, ପି.କେ. ଜେନା, ସାଲେପୁର ଏସ୍‌ଡିପିଓ ରଂଜିତ ପୃଷ୍ଟି, ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ, ସାଲେପୁର ଆଇଆଇସି ବିଜୟ ବିଶି, କିଶନନଗର ଆଇଆଇସି ବାମଦେବ ସ୍ବାଇଁ, ନେମାଳ ଆଇଆଇସି ନିହାର ରଂଜନ ମହାନ୍ତି, ନିଶ୍ଚିନ୍ତକୋଇଲି ଆଇଆଇସି ସୁଧାଂଶୁ ଶେଖର ପରିଡାଙ୍କ ସମେତ ୨୦ ରୁ ଅଧିକ ପୁଲିସ ଅଧିକାରୀ ଏହି ଟିମ୍‌ରେ ସାମିଲ ହୋଇଥିଲେ। ଏହି ଟିମ୍ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମାହାଙ୍ଗା, ବଡ଼ଚଣା ଓ କେନ୍ଦ୍ରାପଡ଼ା ଅଂଚଳରେ ଚଢାଉ କରିଥିଲେ। ଧରାପଡ଼ିବା ପରେ ଏହି ଅଭିଯୁକ୍ତମାନେ ହତ୍ୟାକାଣ୍ଡ ସଂପର୍କରେ ପୁଲିସ ଆଗରେ ବୟାନ ଦେଇଥିଲେ।

ଯଁକୋଟୀ ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ସଂଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ନୁର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଲାଇଟ୍ କାଟି ଦେବା ପାଇଁ ଏକ ପ୍ଲାସରେ ତାର କାଟି ଦେଇଥିଲେ।

ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ପୁଲିସ ସହିତ ଯାଇ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା। ତା’ କହିବା ଅନୁଯାୟୀ ପୁଲିସ ସୁକନଈ ବନ୍ଧ ବେଣା ମୂଳକୁ ଯାଇ ଖଣ୍ଡା ଜବତ କରିଥିଲା। ତାର କାଟିବା ପାଇଁ ବ୍ୟବହୃତ ପ୍ଲାସକୁ ସେ ଖୁଣ୍ଟ ମୂଳରେ ପକାଇଥିବା କହିଥିଲେ ବି ତାହା କିନ୍ତୁ ମିଳି ନଥିଲା। ଏହି ଘଟଣାରେ ପୂର୍ବରୁ ପୁଲିସ କୁଳମଣିଙ୍କ ବାଇକ, ଦୁଇ ହଳ ଚପଲ, ଚଷମା କାଚ, ରୁମାଲ, ତିନୋଟି ଗ୍ୟାସ ଗ୍ରାହକ କାର୍ଡ, ଧଳା ରଙ୍ଗର କପଡା ବ୍ୟାଗ୍, ଗୋଟିଏ ଟର୍ଚ୍ଚ ଲାଇଟ୍, ଗୋଟିଏ ରକ୍ତ ଭିଜା ଲୁଗା ଜବତ କରିଥିବା ବେଳେ ଏବେ ଅଭିଯୁକ୍ତ ସେତେବେଳେ ପିନ୍ଧିଥିବା ପୋଷାାକ, ହତ୍ୟାକାଣ୍ତ ସମୟରେ ବ୍ୟବହାର କରିଥିବା ୪ଟି ମୋବାଇଲ ଫୋନ, ଅଭିଯୁକ୍ତ ପଂଚାନନର ବାଇକକୁ ଜବତ କରିଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ମାହାଙ୍ଗା ଥାନାରେ ଏକ ମାମଲା (କେସ୍ ନଂ ୫/୨୧) ଦଫା ୧୪୭, ୧୪୮, ୧୨୦(ବି) ୩୦୨, ୧୪୯ (ଆଇପିସି), ୨୫/୨୭(ଆର୍ମସ ଆକ୍ଟ)ରେ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌.ପି. ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର