କବିସୂର୍ଯ୍ୟନଗର: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ଗ୍ରାମର ବିଜେପି ନେତା ଲକ୍ଷ୍ମୀନାରାୟଣ ପାଇକରାୟ ଓରଫ୍ କୁନା ପାଇକରାୟଙ୍କୁ ଆଜି ସକାଳେ କିଛି ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ପଥରାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତା ଉପରେ ଅପରାଧୀମାନେ ତାଙ୍କ କପାଳକୁ ଗୋଟିଏ ରାଉଣ୍ଡ୍ ଗୁଳି କରିଥିଲେ। ଠିକାକାମକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପଥରାପଲ୍ଲୀ ଗ୍ରାମରେ ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ କଲଭର୍ଟ କାମ ଚାଲୁଥିବା ବେଳେ ତିନିଜଣ ଯୁବକ ପହଞ୍ଚି ସାମ୍ବାଦିକ ପରିଚୟ ଦେଇ ଭିଡିଓ ଉତ୍ତୋଳନ କରିଥିଲେ। କଲଭର୍ଟ କାମରେ ନିୟୋଜିତ ଲୋକଙ୍କୁ ସେମାନେ ଠିକାଦାର ଲକ୍ଷ୍ମୀନାରାୟଣଙ୍କୁ ଡାକିବାକୁ କହିଥିଲେ। ଫୋନ୍ ପାଇବା କ୍ଷଣି ଲକ୍ଷ୍ମୀନାରାୟଣ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତୂ ହଠାତ୍ ତାଙ୍କ କପାଳକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି କରିଥିଲା। ତାଙ୍କୁ କବିସୂର୍ଯ୍ୟନଗର ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ।
ପ୍ରକୃତରେ ଠିକାକାମ ନା’ ଅନ୍ୟ କୌଣସି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ପୁଲିସ ତନାଘନା ଆରମ୍ଭ କରିଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ପରିଚିତ ଲକ୍ଷ୍ମୀନାରାୟଣ ବିଭିନ୍ନ ବିଭାଗର କୋଟି କୋଟି ଟଙ୍କାର ଠିକା କାମ ନେଇଥିଲେ। ପୂର୍ବରୁ ୪ ମାସ ତଳେ ବଣମହୁରିରେ ଜେସିବି ଜଳାଯାଇଥିବା ବେଳେ ପଥରାପଲ୍ଲୀରେ ୪ ଦିନ ତଳେ ଜେସିବି ଭଙ୍ଗାଯାଇଥିଲା। ଲକ୍ଷ୍ମୀନାରାୟଣଙ୍କ ନାମରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି। ଏକ ହତ୍ୟା ମାମଲାରେ ସେ ୨୦ ବର୍ଷ ଜେଲ୍ରେ ରହିବା ପରେ ଦୁଇବର୍ଷ ତଳେ ଜାମିନରେ ମୁକୁଳିଥିଲେ। ତେଣୁ କୌଣସି ପୁରୁଣା ବିବାଦରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଏହି ଘଟଣା ନେଇ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ନାୟକ ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଆଗରୁ ଚୋରାମଦ ବେପାର ଓ ମନରେଗା କାମରେ ବିଜେଡି କର୍ମୀମାନେ କୋଟି କୋଟି ଟଙ୍କା ଲାଭ ପାଉଥିବା ବେଳେ ଏବେ ହତାଶ ହୋଇପଡ଼ିଛନ୍ତି। ଏଥିପାଇଁ ଏଭଳି ହତ୍ୟାକାଣ୍ଡ ଘଟାଯାଇଛି ବୋଲି ସେ କହିଛନ୍ତି। ବିଧାୟକ ଶ୍ରୀ ନାୟକଙ୍କ ସମେତ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ବିଜେପି ନେତା ସୀତାରାମ ଚୌଧୁରୀ, ମୀରା ଦେଓ ଓ ରାମପ୍ରସାଦ ମହାରଣାଙ୍କ ସମେତ ବହୁ କର୍ମୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେହିପରି ଅତିରିକ୍ତ ଏସ୍ପି ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଓ କବିସୂର୍ଯ୍ୟନଗର ଥାନାଧିକାରୀ ନିରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ ହୋଇଛି। ଏସ୍ଡିପିଓ ଓ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/31/SFD2UgpH83uJHAjUATGR.jpg)