ବରୀ : ଗତ ୧୮ତାରିଖ ମାଳଦା ଗ୍ରାମର ବନିତା ସାହୁଙ୍କ ସହିତ ସେହି ଗ୍ରାମର ନର୍ମଦା ରାଉତଙ୍କ ବିବାଦ ହୋଇଥିଲା। ନର୍ମଦା ଓ ତାଙ୍କ ସ୍ବାମୀ ମିଶି ବନିତାଙ୍କୁ ତାଙ୍କ ଘରେ ଆକ୍ରମଣ କରିଥିଲେ। ଏହାକୁ ନେଇ ବନିତା ବିଜେପି ନେତ୍ରୀ ଗୀତାଞ୍ଜଳି ବେହେରାଙ୍କ ସହାୟତାରେ ବରୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ଭାର ଏଏସଆଇ ମ‌ୋନରଞ୍ଜନ ସେଠୀ ନେଇଥିବା ବେଳେ ୧୯ ତାରିଖ ଦିନ ଉଭୟ ପକ୍ଷକୁ ଥାନାକୁ ଡକାଇଥିଲେ। ବନିତାଙ୍କ ସହିତ ବିଜେପି ନେତ୍ରୀ ମଧ୍ୟ ଥାନାକୁ ଯାଇଥିଲେ। ପଚରାଉଚରା ବେଳେ ଆଲୋଚନାରେ ବିଜେପି ନେତ୍ରୀ ଅଂଶଗ୍ରହଣ କରିବାରୁ ହଠାତ୍ ଅଭିଯୁକ୍ତ ମହିଳା ନର୍ମଦା ବିଜେପି ନେତ୍ରୀଙ୍କ ଚରିତ୍ର ସଂହାର କରିବା ସହିତ ଘରୁ ଉଠାଇ ନେବାକୁ ଓ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

Advertisment

ଏ ସମସ୍ତ ଘଟଣା ଥାନା ଭିତରେ ଏବଂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଘଟୁଥିଲା। ଏ ନେଇ ଶ୍ରୀମତୀ ବେହେରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୁକ୍ତ ମହିଳା ଧମକ ଦେବା ସହିତ ଗାଳିଗୁଲଜ କରୁଥିବା ‌ବେଳେ ପୁଲିସ ନିରବତାକୁ ନେଇ ଆଜି ସୋସିଆଲ ମିଡ଼ିଆରେ ଲାଇଭ୍‌ କରି ସହାୟତା ମାଗିବା ସହିତ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯାହାକି ଭାଇରାଲ ହୋଇଛି। ଅପର ପକ୍ଷରେ ଥାନା ଭିତରରେ ହୋଇଥିବା କଥପୋକଥନର କିଛି ଅଂଶକୁ ମଧ୍ୟ ମୋବାଇଲ୍‌ରେ ରେକର୍ଡ କରି ସୂଚନା ପାଇଁ ପ୍ରଦାନ କରିଛନ୍ତି। ସେଥିରେ ଆକ୍ରମଣର ଶିକାର ହୋଇଥିବା ବନିତା ସାହୁଙ୍କୁ ମଧ୍ୟ ସଂପୃକ୍ତ ପୁଲିସ ଅଧିକାରୀ ଆଇନ କାନୁନର ଡର ଦେଖାଇବା ସହିତ କୋର୍ଟ କଚେରିର ଭୟ ଦେଖାଉଛନ୍ତି। ଏ ସଂପର୍କରେ ବରୀ ଥାନା ଅଧିକାରୀ ମନୋଜ ସ୍ବାଇଁ କହିଛନ୍ତି ବନିତା ଓ ନର୍ମଦ‌ାଙ୍କ ମଧ୍ୟରେ ହୋଇଥିବା ବିବାଦରେ ଦୁଇଟି ମାମଲା ରୁଜୁ ହୋଇଛି। ଗୀତାଞ୍ଜଳି ‌ବେହେରାଙ୍କ ଅଭିଯୋଗ ଉପରେ ମଧ୍ୟ ଆଉ ଗୋଟିଏ ମାମଲା ରଜୁ କରାଯାଇ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।