ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା

ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା, ପୁଲିସ ମୁତୟନ

ବାଇକ୍‌ରେ ଆସି‌ଥିଲେ ୬ରୁ ଅଧିକ ଦୁର୍ବୃତ୍ତ
ରାଜନୈତିକ ଶତ୍ରୁତାରୁ ହତ୍ୟା ସନ୍ଦେହ

ମାହାଙ୍ଗା : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଆଜି ନିର୍ମମ ଭାବେ ହତ୍ୟା କରାଯାଇଛି। ଆକ୍ରମଣରେ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବହୁ ସଂଖ୍ୟାରେ କୁଳମଣିଙ୍କ ସମର୍ଥକ ଓ ବିଜେପି ନେତା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ଆଜି ରାତି ପ୍ରାୟ ସାଢ଼େ ୭ଟାରେ ବିଜେପି ନେତା କୁଳମଣି ବରାଳ (୬୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦) ମାହାଙ୍ଗା ଥାନା ଯଁକୋଟି ଗ୍ରାମ ରାସ୍ତା ଦେଇ ବାଇକ୍‌ରେ ନୃତ୍ତାଙ୍ଗ ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ। ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ କୁଳମଣିଙ୍କ ସମର୍ଥକମାନେ ଡାକ୍ତରଖାନାରେ ପହଞ୍ଚି ଥିଲେ। ଉଭୟଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ କୁଳମଣିଙ୍କ ମୃତ୍ୟୁ ହୋଇ ସାରିଥିବା ଦର୍ଶାଇ ସମର୍ଥକମାନେ ତାଙ୍କୁ ଛାଡ଼ି ନ ଥିବା ସୂଚନା ମିଳିଛି। ଫଳରେ ଆମ୍ବୁଲାନ୍ସରେ ଦିବ୍ୟସିଂହଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍‌ସିବିରେ ପହଞ୍ଚିବା ବେଳକୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।

ଏଣେ କୁଳମଣିଙ୍କ ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିବା ପରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ, ଜିଲ୍ଲା ମହିଳା ବିଜେପି ସଭାନେତ୍ରୀ ଯାଜ୍ଞସେନୀ ଜେନା, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ମାହାଙ୍ଗା ଡାକ୍ତରଖାନାରେ ପହଞ୍ଚିଛନ୍ତି। ବହୁ ସଂଖ୍ୟାରେ କୁଳମଣିଙ୍କ ସମର୍ଥକ ଡାକ୍ତରଖାନାରେ ପହଞ୍ଚିବାରୁ ଉତ୍ତେଜନା ଲାଗି ରହିଛି। ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଡାକ୍ତରଖାନାରେ ଉପସ୍ଥିତ ରହିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଡିସେମ୍ବର ୧୩ ତାରିଖରେ ପାଖାପାଖି ସେହି ଅଞ୍ଚଳରେ ନୁର୍ତ୍ତାଙ୍ଗର ବିକାଶ ଯେନାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସେହି ଘଟଣାରେ ସ୍ଥାନୀୟ ସରପଂଚଙ୍କ ଶ୍ବଶୁରଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ହତ୍ୟାକାଣ୍ଡ ବି ରାଜନୈତିକ ଶତ୍ରୁତାରୁ ଘଟିଥିଲା। ମାତ୍ର ଦୁଇ ବର୍ଷ ବ୍ୟବଧାନରେ ରାଜନୈତିକ ଶତ୍ରୁତାରୁ ଗୋଟିଏ ଅଞ୍ଚଳରେ ଦୁଇ ଦୁଇଟି ରାଜନୈତିକ ହତ୍ୟାକାଣ୍ଡକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର