ଭୁବନେଶ୍ୱର: ଓଡ଼ିଶାରେ ଆୟକର ବିଭାଗର ଚଢ଼ଉକୁ ନେଇ ପୁଣି ମୁହାଁମୁହିଁ ହୋଇଛି ବିଜେପି ଓ ବିଜେଡି। ରାଜ୍ୟ ସରକାରଙ୍କ ସହ ମଦ କମ୍ପାନିର ସମ୍ପର୍କ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କଲା ପରେ ପାଲଟା ଆକ୍ରମଣ କରିଛି ବିଜେଡି। ଓଡ଼ିଶା ବିଜେପି ଢାଲ ସାଜି କଂଗ୍ରେସକୁ ସୁରକ୍ଷା ଦେଉଛି ବୋଲି ଦଳ ବଡ଼ ଅଭିଯୋଗ ଆଣିଛି। ଦଳ ସିଧା ସିଧା କହିଛି, ଓଡ଼ିଶା ବିଜେପି ଏଠି କଂଗ୍ରେସର ପ୍ରବକ୍ତା ପରି କାମ କରୁଛି। ପ୍ରଶ୍ନ କରିଛି, କଂଗ୍ରେସକୁ ବଞ୍ଚାଇବା ପାଇଁ ରାଜ୍ୟ ବିଜେପି ନେତାମାନେ କାହିଁକି ଏତେ ବ୍ୟଗ୍ର?

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଲେ, ଜାତୀୟ ସ୍ତରରେ ବିଜେପିର ତୁଙ୍ଗ ନେତାମାନେ କଂଗ୍ରେସକୁ ଏହି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବହୁ ବିଜେପି ନେତା ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି। ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସଠାରୁ ଜବାବ ମାଗୁଛନ୍ତି। ଝାଡ଼ଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି। ହେଲେ ଲାଗୁଛି କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡ଼ିଶାର ଜଣେ ବିଜେପି ନେତା ଯେମିତି ପ୍ରତିଜ୍ଞା କରିଛନ୍ତି, କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇଦେବେ। ଶୁଣିବାକୁ ମିଳୁଛି, ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡ଼େ ଏନେଇ ଏକ ଡିଲ୍ ହୋଇଛି। ବିଜେପିର ଜାତୀୟ ନେତାମାନେ କହୁଛନ୍ତି, ଜବତ ହୋଇଥିବା ଟଙ୍କା ଛତିଶଗଡ ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ରଖାଯାଇଥିଲା, ଯାହା ହୋଇପାରି ନଥିଲା। ବିଜେପିର ରାଜ୍ୟ ନେତା ସାହାସ ଦେଖାଇ କୁହନ୍ତୁ, ତାଙ୍କର ଜାତୀୟ ସ୍ତରର ନେତା ଦେଉଥିବା ବୟାନ ଭୁଲ୍‌।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ରାଜ୍ୟ ବିଜେପିର ନେତାମାନେ ସବୁବେଳେ ମିଛ ଖବର ପ୍ରସ୍ତୁତ କରିବାରେ ବ୍ୟସ୍ତ ରହନ୍ତି। ଜାତୀୟ ସ୍ତରରେ ଓ ପଡ଼ୋଶୀ ରାଜ୍ୟରେ ନିଜ ଦଳର ନେତା କ’ଣ କହୁଛନ୍ତି ସେମାନେ ଜାଣି ମଧ୍ୟ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତି। ଆମେ ସେଥିପାଇଁ ବାରମ୍ବାର କହିଛୁ, ଓଡିଶା ବିଜେପି ନେତାମାନେ ଓଡ଼ିଶାକୁ ବଦନାମ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ଆଉ ଏହା ତାହାର ଅନ୍ୟ ଏକ ଉଦାହରଣ। ଏଭଳି ହାସ୍ୟାସ୍ପଦ କଥା ପାଇଁ ରାଜ୍ୟବାସୀ ବିଜେପି ଉପରେ ହସୁଛନ୍ତି। ପୁଣି ରାଜ୍ୟ ବିଜେପିର କିଛି ନେତା ମଧ୍ୟ ଲଜ୍ଜିତ ଅନୁଭବ କରୁଛନ୍ତି। ସେମାନଙ୍କର ଏମିତି ହୀନ ରାଜନୀତି ପାଇଁ ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ଲୋକଙ୍କୁ ବୋକା ବନାଇବାର ଏହି ପ୍ରୟାସ ଏବଂ କଂଗ୍ରେସର ବି- ଟିମ୍ ହୋଇ କାର୍ଯ୍ୟ କରିବାର ଜବାବ ଜନତା ଆଗାମୀ ଦିନରେ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।