ଥାନାରେ ଧସେଇ ପଶିଲେ ବିଜେପି ନେତ୍ରୀ, ଟେବୁଲ୍ ବାଡ଼େଇ ମନ୍ତ୍ରୀଙ୍କ ଗିରଫ ଦାବି କଲେ

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି କ୍ୟାପିଟାଲ ଥାନାକୁ ଏତଲା ଦେବାକୁ ଯାଇଥିଲେ ଶତାଧିକ ବିଜେପି ନେତ୍ରୀ। ପୁଲିସ ସେମାନଙ୍କୁ ଥାନା ଫାଟକ ପାଖରେ ବୁଝାଇବାକୁ ଉଦ୍ୟମ କରିଥିଲା। କେବଳ କିଛି ପ୍ରତିନିଧି ଥାନା ଭିତରକୁ ଯାଇ ଥାନା ଅଧିକାରୀଙ୍କୁ ଅଭିଯୋଗପତ୍ର ଦେବାକୁ ବୁଝାଇଥିଲା। ମାତ୍ର ସେମାନେ ଶୁଣି ନ ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ନାରାବାଜି କରି ଥାନା ଭିତରକୁ ଧସେଇ ପଶିଲେ। ଏମିତିକି ଥାନା ଅଧିକାରୀଙ୍କ ଚାମ୍ବରକୁ ବି ଧସେଇ ପଶିଗଲେ। ଟେବୁଲ୍ ବାଡ଼େଇ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ହୋ’ହଲ୍ଲା କରିଥିଲେ। ଶେଷରେ ଥାନା ଅଧିକାରୀ ଅଭିଯୋଗପତ୍ର ରଖିଲେ ଏବଂ ପ୍ରାୟ ଘଣ୍ଟାଏ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଲା।

କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା‌ ମମିତା ମେହେର ହତ୍ୟା ମାମଲା‌ରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରି ଶୁକ୍ରବାର ଦିନ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏଭଳି ହଙ୍ଗାମା କରାଯାଇଥିଲା। ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ପଦଯାତ୍ରା କରି କ୍ୟାପିଟାଲ୍ ଥାନାରେ ପହଞ୍ଚିଥିଲେ। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ବୋଲି ନାରାବାଜି କରି ଥାନା ଫାଟକ ନିକଟରେ ଜମା ହୋଇଥିଲେ। ଏହା ପରେ ହଠାତ୍ ଥାନା ଭିତରକୁ ଧସେଇ ପଶିଥିଲେ। ଫାଟକ ନିକଟରେ ଥିବା ମହିଳା ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ପାରିନଥିଲେ। ଥାନା ଭିତରେ ପଶିବା ପରେ ସେମାନେ ଥାନା ଅଧିକାରୀଙ୍କ ଚାମ୍ବରକୁ ବି ଧସେଇ ପଶି ପ୍ରବଳ ପାଟିୁତଣ୍ଡ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ମମିତା ହତ୍ୟାକାରୀ ଗୋବିନ୍ଦ ସାହୁ ସହ ବହୁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ଲୋକ ରହିଛନ୍ତି। ଯୋଜନାବଦ୍ଧ ଭାବେ ସମସ୍ତେ ମିଳିମିଶି ମମିତାଙ୍କୁ ହତ୍ୟା କରିଛନ୍ତି। ଅଥଚ ପୁଲିସ ପ୍ରଶାସନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ପ୍ରଦାନ କରୁଛି। ତେଣୁ ମନ୍ତ୍ରୀଙ୍କୁ ଗିରଫ କରାଯାଉ ଏବଂ ବହିଷ୍କାର କରାଯାଉ।

ଏହି ମହିଳା ପ୍ରତିନିଧିଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅନିତା ଶୁଭଦର୍ଶିନୀ, ପିଙ୍କି ପ୍ରଧାନ, ଇତିଶ୍ରୀ ଜେନା, ଊର୍ମିଳା ମହାପାତ୍ର, ନିରୋଜ ନଳିନୀ ମହାଳିକ, କସ୍ତୁରୀ ମିଶ୍ର, ରଶ୍ମିରେଖା ଦାସ, ମନସ୍ମିତା ଖୁଣ୍ଟିଆ, ମନ୍ଦାକିନୀ ପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର