ବାଟରେ ଅଟକିଲା ବିଜେପି

ସଚିବାଳୟ ପହଞ୍ଚିପାରିଲାନି, ପୁଲିସ ସହ ଧସ୍ତାଧସ୍ତି / ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା

ଭୁବନେଶ୍ୱର : ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ଅକଳରେ ପଡିଥିବା ବିଜେପି ଆଜି କ୍ଷୟକ୍ଷତିର ଆକଳନ ବିଳମ୍ବ ଆଳରେ ଚାଷୀ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିଛି। ବିଧାନସଭାର ଦିନକ ପୂର୍ବରୁ ବିଜେପି ନେତାମାନେ ରାଜଧାନୀରେ ପ୍ରତିବାଦର ଏକ ଝଲକ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେବା ଆଳରେ ଦଳୀୟ ନେତା ଓ କର୍ମୀ ସଚିବାଳୟ ଆଡ଼କୁ ମାଡ଼ି ଚାଲିବା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ରବୀନ୍ଦ୍ର ଛକ ନିକଟରେ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକାଇଥିଲା ଓ ଉଭୟ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଠେଲାପେଲା, ପାଟିତୁଣ୍ଡ ଭିତରେ କମ୍ପିଥିଲା ସମଗ୍ର ଅଞ୍ଚଳ। ପରେ ବ୍ୟାରିକେଡ୍‌ ଭାଙ୍ଗିଯିବାରୁ ପୁଲିସ ପ୍ରବଳ ଚାପ ପ୍ରୟୋଗ କରି ବିଜେପି ନେତାଙ୍କୁ ଅଟକାଇବା ସହିତ ଗିରଫ କରିନେଇଥିଲା।

ବିଜେପି ନେତାମାନେ କହିଛନ୍ତି, ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ କ୍ଷୟକ୍ଷତିର ଆକଳନ ନଭେମ୍ବର ୨୫ ସୁଦ୍ଧା ସମ୍ପୂର୍ଣ ଶେଷ ହେବା କଥା। ମାତ୍ର ଏହା କାର୍ଯ୍ୟକାରୀ ହେଲା ନାହିଁ। ଏହା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବାକୁ ଗଲାବେଳେ ସଂଘର୍ଷ ଘଟିଥିଲା। ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦେଲାନି। କୌଣସି ପରିସ୍ଥିତିରେ ଦଳ ଦବିବ ନାହିଁ, ଆଗକୁ ଆହୁରି ତୀବ୍ର ଓ ଶାଣିତ ଢଙ୍ଗରେ ଆକ୍ରମଣ କରିବ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପି କର୍ମୀ ଭାଗଚାଷୀଙ୍କୁ ଚିହ୍ନଟ, କ୍ଷତିପୂରଣ, କୃଷି ଋଣ ଛାଡ, କ୍ୱିଣ୍ଟାଲ ପିଛା ଏକ ଶହ ଟଙ୍କାର ବୋନସ ପ୍ରଦାନ ନେଇ ହୋଇଥିବା ପୂର୍ବ ଘୋଷଣାକୁ ମନେ ପକାଇବା ପାଇଁ ‘ସଚିବାଳୟକୁ ଚାଲ’ ଡାକରା ଦେଇଥିଲେ। ଏହା ସହିତ ଛତିଶଗଡ ଭଳି ତିନି ଶହ ଟଙ୍କା ବୋନସ ପ୍ରଦାନ କରିବା, ନକଲି ବିହନ, ନକଲି କୀଟନାଶକ ଯୋଗାଣର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ପ୍ରଦାନ ଆଦି ଦାବି ସରକାରଙ୍କ ନିକଟରେ ରଖିବା ଲାଗି ଦଳ ଯୋଜନା କରିଥିଲା। ଆଜି ଦଳୀୟ କର୍ମୀମାନେ ଏକ ରାଲିରେ ସଚିବାଳୟକୁ ଆଡକୁ ଯାଇଥିଲେ। ହେଲେ ପୁଲିସ ମାତ୍ରାଧିକ ବଳ ପ୍ରୟୋଗ କରି ସେମାନଙ୍କୁ ଅଟକାଇଥିଲା ବୋଲି ଦଳ ଅଭିଯୋଗ କରିଛି।

ବିଜେପି ନେତାମାନେ କହିଛନ୍ତି, ଗୋଟିଏ ପଟେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମଗାଯାଉଛି। ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ମିଳୁନି। ଏହା ହିଁ ସୂଚାଇ ଦେଉଛି ଯେ ମୁଖ୍ୟମନ୍ତ୍ରୀ ମିଛ ଡ୍ରାମା କରୁଛନ୍ତି।

ଦିଲ୍ଲୀରେ ଓଡ଼ିଶାର ସମ୍ମାନହାନି ଘଟିଛି ବୋଲି ଅଭିଯୋଗ ଆଣି ନେତାମାନେ କହିଥିଲେ, ଦିଲ୍ଲୀରେ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ବୃଦ୍ଧି କରି ୨୯୩୦ ଟଙ୍କା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ କିରାଣୀ ଦେଇଥିବା କାଗଜକୁ ହିଁ ପଢିଛନ୍ତି। ମାତ୍ର ଧାନର ସହାୟକ ମୂଲ୍ୟକୁ ମୋଦି ସରକାର ୮୦ ଟଙ୍କା ବଢାଇ ୧୫୫୦ ଟଙ୍କା କରିସାରିଲେଣି ଏକଥା ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି। ବିଜେଡି ସରକାର ପ୍ରକୃତ ଚାଷୀ ବଦଳରେ ଚଞ୍ଚକତା କରି ଦଳୀୟ ଆଧାରରେ କେନ୍ଦ୍ର ସରକାରଙ୍କଠାରୁ ଆସୁଥିବା ଏନ୍‌ଡିଆରଏଫର ଅପବ୍ୟୟ କରୁଥିବା ଦଳ ଅଭିଯୋଗ କରିଛି।

ଏହି ବିକ୍ଷୋଭରେ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

ବିଜେପିର ସଚିବାଳୟ ପ୍ରବେଶ ଡାକରାକୁ ଦେଖି କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସଚିବାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ କେଶରୀ ଟକିଜ ପର୍ଯ୍ୟନ୍ତ ସମୁଦାୟ ଅଞ୍ଚଳକୁ କର୍ଡନ ଭିତରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର