ଭୋଟ ଗଣତି ଜାରି: ବିଜୟ ଅଭିମୁଖେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ଆଉ ମାତ୍ର ୪ ରାଉଣ୍ଡ ଭୋଟ ଗଣତି ବାକି ଅଛି। ବିଜୟ ମୁହାଁ ହେଉଛି ବିଜେପି। ୧୪ ରାଉଣ୍ଡ ସୁଦ୍ଧା ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୭୬୧୧ ଭୋଟରେ ଆଗୁଆ ଥିବା ଜଣାଯାଇଛି। । ତେବେ ଏନେଇ ଏଯାଏ ଆଧିକାରିକ ସୂଚନା ମିଳିନାହିଁ। ପ୍ରଥମ ରାଉଣ୍ଡର ଗଣତିରୁ ହିଁ ବିଜେପି ଆଗରେ ରହିଆସିଛି। ବିଜେଡି ଦ୍ବିତୀୟ ସ୍ଥାନରେ ଏବଂ କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି। ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ତୃତୀୟ ସ୍ଥାନରେ ରହିଛନ୍ତି।ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ବିଜୟ ନିଶ୍ଚିତ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିଲେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ପ୍ରାର୍ଥୀ ୩୯୮୦, କଂଗ୍ରେସ ପ୍ରାର୍ଥୀ ୨୧୬ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୦୨ ଖଣ୍ଡ ଭୋଟ ମିଳିଥିଲା।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର