ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତିରେ ଚତୁର୍ଥ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବା ଜଣାଯାଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ଏଯାଏ ମୋଟ ୩୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ୧୮୧୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୪୯୨୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୫୫୭ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୩୬୨ ଖଣ୍ଡ ଭୋଟ ପାଇଛନ୍ତି।ତେବେ ଏନେଇ ଏଯାଏ ଆଧିକାରିକ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ତୃତୀୟ ରାଉଣ୍ଡରେ ବିଜେପି ୬୫୬ ଭୋଟରେ ଆଗୁଆ ଥିବାର ସୂଚନା ମିଳିଛି। ଏଯାଏ ମୋଟ ୨୦୩୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ଆଗରେ ଥିଲେ। ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିଲେ। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିଲେ।
ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିଲେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ପ୍ରାର୍ଥୀ ୩୯୮୦, କଂଗ୍ରେସ ପ୍ରାର୍ଥୀ ୨୧୬ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୦୨ ଖଣ୍ଡ ଭୋଟ ମିଳିଛି।
ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।