ବିଧାୟକ ଦଳ ବୈଠକରେ ନିଷ୍ପତ୍ତି: ବିଧାନସଭାରେ ମମିତା ମେହେର ପ୍ରସଙ୍ଗ ଉଠାଇବ ବିଜେପି

ବାଚସ୍ପତି ନିରପେକ୍ଷ ହେଲେ ଆମେ ସହଯୋଗ କରିବୁ : ମୋହନ ମାଝୀ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ବିଧାନସଭା ଗୃହରେ ପୂରା ଦମ୍‌ରେ ଘେରିବ। ବିଧାନସଭା ଅଧିବେଶନ ପାଇଁ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏଥିପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କାରଣରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହିସାବରେ ଦଳ ନେଇଛି। ଏହି ଘଟଣାକୁ ଫୋକସ୍‌ରେ ରଖି ପୂରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇଛି, ତାହାକୁ ଗୃହରେ ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିବ ବିଜେପି।

ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ। ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ସମେତ ମହିଳା ନିର୍ଯାତନା, ଶିଶୁ ଅପହରଣ ଓ ହତ୍ୟା, ମଣ୍ଡି ସମସ୍ୟା, ବେକାରୀ ସମସ୍ୟା, ବ୍ରାଉନସୁଗାର ଓ ଗଞ୍ଜେଇର ବ୍ୟାପକ କାରବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅନିଶ୍ଚିତତା, ରାଜ୍ୟରେ କାମ୍ପା ଓ ଡିଏମ୍‌ଏଫ୍ ଫଣ୍ଡ୍‌ ବାଟମାରଣା ଓ ହରିଲୁଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ୍ କାର୍ଡର ପ୍ରହେଳିକା, ୫-ଟି ଜରିଆରେ ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରହସନ, ମାହାଙ୍ଗା ଡବଲ୍ ମର୍ଡର, ଏସିଏଫ୍ ସୈାମ୍ୟରଂଜନ ରହସ୍ୟଜନକ ମୃତ୍ୟୁ, ପୌରାଞ୍ଚଳ ଉନ୍ନତୀକରଣ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ। କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଣ୍ଟନ କରାଯାଉଛି। ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କଠାରୁ ଜବାବ ମଗାଯିବ।

ଗୃହ କାର୍ଯ୍ୟରେ ସହଯୋଗ ପ୍ରସଙ୍ଗରେ ଶ୍ରୀ ମାଝୀ କହିଛନ୍ତି‌ ଯେ ବାଚସ୍ପତି ଯଦି ନିରପେକ୍ଷତା ଅବଲମ୍ବନ କରି ଆଲୋଚନା ପାଇଁ ନିଷ୍ପତ୍ତି ନିଅନ୍ତି, ତା’ହାଲେ ବିଜେପି ଗୃହ ଚଳାଇବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବ। ଏହା ସହ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ସମସ୍ତ ଆଲୋଚନାରେ ଭାଗ ନେବ। ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର