କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ରାଜ୍ୟ ବିଜେପି

ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ରିଲିଫ୍ ପ୍ରଦାନ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର କାର୍ଯ୍ୟକାରିତା ଦାବି

ଭୁବନେଶ୍ବର : ଫନି ବାତ୍ୟାରେ ପାଖାପାଖି ୧୫ ଲକ୍ଷରୁ ଅଧିକ ନଡ଼ିଆ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଫଳରେ ନଡ଼ିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି। ନିଜ ଜୀବନ ଜୀବିକା ହରାଇ ନଡ଼ିଆ ଚାଷୀମାନେ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ନଡ଼ିଆ ଚାଷୀଙ୍କୁ ସ୍ବତନ୍ତ୍ର ରିଲିଫ୍ ପ୍ରଦାନ କରିବାକୁ ରାଜ୍ୟ ବିଜେପି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିକଟରେ ଦାବି କରିଛି। ଦଳ ପକ୍ଷରୁ ଏ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରରେ ଦର୍ଶାଯାଇଛି, ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରାୟ ୫ଟି ଜିଲ୍ଲାବାସୀଙ୍କ ପାଇଁ ନଡ଼ିଆ ଚାଷ ଅତିରିକ୍ତ ରୋଜଗାର ଅଟେ। ଗୋଟିଏ ନଡ଼ିଆ ଗଛ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ନଷ୍ଟ ହୋଇଗଲେ ଆଉ ଫଳପ୍ରଦ ହୋଇ ନ ଥାଏ। ସେହିପରି ଗୋଟିଏ ନୂଆ ଗଛ ଫଳ ଦେବା ପାଇଁ ପ୍ରାୟ ୪ ରୁ ୫ ବର୍ଷ ସମୟ ଲାଗିଥାଏ। ଫନି ବାତ୍ୟ‌ା ଜନିତ ନଡ଼ିଆ ଚାଷ ନଷ୍ଟ ହୋଇଥିବା‌ କାରଣରୁ ହଜାର ହଜାର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ସେହିପରି ରାଜ୍ୟରେ କତା ଶିଳ୍ପ ପାଇଁ ନଡ଼ିଆ ଚାଷ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେଥି ପାଇଁ ହସ୍ତତନ୍ତ ଦ୍ରବ୍ୟ ଉତ୍ପାଦନ କରୁଥିବା ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା‌ ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ତାଲିକାରୁ ବାଦ୍ ପଡ଼ିଛନ୍ତି। ଯଥାଶୀଘ୍ର ଠିକ୍ ହିତାଧିକାରୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ସମ୍ପାଦକ ଯତୀନ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମଲ୍ଲିକ, ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଓ ମହେଶ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର