ଭୁବନେଶ୍ବର : ଶାସକ ବିଜେଡିକୁ ପରାଜୟ ଭୟ ଘାରିଛି। ସେଥି ପାଇଁ ନିର୍ବାଚନୀ ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ୍‌ ରିଗିଂ ଓ ବୁଥ୍‌ କ୍ୟାପ୍‌ଚରିଂ ବାଟକୁ ଆପଣାଇଛି। ଗତକାଲି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ଶାସକ ଦଳର ଗୁଣ୍ଡା ଓ ସ୍ଥାନୀୟ ବିଧାୟକଙ୍କ ସମର୍ଥକଙ୍କ ଦ୍ବାରା ୬ରୁ ଅଧିକ ବୁଥ୍‌ ଜବରଦଖଲ କରାଯିବା ସହ ବିଜେପି ଏଜେଣ୍ଟ୍‌ଙ୍କୁ ମାଡ଼ ମରାଯାଇ ଗାଡ଼ି ଭଙ୍ଗାରୁଜା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏପରିକି ସେଠାକାର ପୋଲିଂ ଅଫିସର୍‌ ଶାସକ ଦଳର ଏହି ବେନିୟମ କାର୍ଯ୍ୟକୁ ସମର୍ଥନ କରିବା ସହ ଓଲଟା ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମିଛ ମକଦ୍ଦମା ରୁଜୁ କରିବା ପରି ଅସମ୍ବିଧାନିକ କାମ କରିଛନ୍ତି। ତେଣୁ ସତ୍ୟବାଦୀର ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବୁଥ୍‌ ନମ୍ବର ୭୮, ୯୦, ୧୦୧, ୧୦୭, ୧୦୮ ଓ ୧୦୯ରେ ଶାସକ ଦଳ ଦ୍ବାରା ବୁଥ୍‌ ଜବରଦଖଲ ହେବା ସହ ବିଜେପିର ବୁଥ୍‌ ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଛି। ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ନିଜ ଗାଁ ଓ ତା’ ପାଖରେ ଆସୁଥିବା ଏହି ବୁଥ୍‌ଗୁଡ଼ିକରେ ଗତିକାଲି ବିଜେପିର ବୁଥ୍‌ ଏଜେଣ୍ଟମାନଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ବାହାର କରି ଦେଇଥିଲେ। ସେମାନେ ବୁଥ୍‌କୁ ନିଜ କବ୍‌ଜାକୁ ନେଇ ଶାସକ ଦଳ ସପକ୍ଷରେ ଭୋଟ୍‌ କରାଇଥିଲେ। କିନ୍ତୁ ପୁଲିସ୍ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ରଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। ଏହି ମିଛ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଛି। ସିଇଓଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ସୁରଥ ବିଶ୍ବାଳ ଓ ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ସାମିଲ ହୋଇଥିଲେ।