ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ମାତିଲା ବିଜେପି : ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ପରୀକୁ ନ୍ୟାୟ ଦେବା ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି। ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ ନୁହେଁ, ବରଂ ସିବିଆକୁ ହସ୍ତାନ୍ତର କରାଯାଉ। ଏହି ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ ଏକ ନୂଆ ନାଟକ ରଚିଛନ୍ତି। ଯେଉଁଠି ଶାସକ ଦଳର ଇଙ୍ଗିତରେ ପୁଲିସ ଗତ ସାଢ଼େ ୪ ମାସ ଧରି ନିରବ ରହିଛି, ସେହି ସ୍ଥାନରେ କ୍ରାଇମବ୍ରାଞ୍ଚ୍‌ କେବଳ ସରକାରଙ୍କ ମୋହରା ସାଜି ଶାସକ ଦଳକୁ ଫାଇଦା ପହଞ୍ଚାଇବାକୁ କାର୍ଯ୍ୟ କରିବ। ପୂର୍ବରୁ ବେବିନା ଗଣଦୁଷ୍କର୍ମ, ଇତିଶ୍ରୀ, କୁନ୍ଦୁଲି, ସ୍ମିତାରାଣୀ ହତ୍ୟା ଆଦି ମାମଲାରେ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବି ଦୋଷୀ ଦଣ୍ଡ ପାଇ ନାହାନ୍ତି। ବରଂ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦ୍ୱାରା ପ୍ରମାଣ ନଷ୍ଟ କରାଯାଇ ଦୋଷୀମାନଙ୍କୁ ସୁରକ୍ଷା ଦିଆଯିବାର ନଜିର ପୂର୍ବରୁ ରହିଛି। ଏଣୁ ପରୀକୁ ନ୍ୟାୟ ନ ମିଳିବା ଯାଏ ମହିଳା ମୋର୍ଚ୍ଚା ଚୁପ୍ ରହିବନି।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ସେ ମନ୍ତ୍ରୀଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ତାକୁ ଗିରଫ କରି ନାହିଁ। ଅନ୍ୟ ପଟେ ଗତକାଲି ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ସାହୁ ପୀଡ଼ିତା ଗାଁର ସରପଞ୍ଚକୁ ଫୋନ କରି ଧମକ ଦେଉଥିବାର ଅଡିଓ କ୍ଲିପ ଭାଇରାଲ ହୋଇଛି। ଏହାକୁ ଆଧାର କରି ପୁଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରୁ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଓ ତା’ର ସହେଯାଗୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦିଆଯାଉ। ଏହା ସହ ନୟାଗଡ଼ ଏସ୍‌ପି ଓ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ଉପଭାନେତ୍ରୀ କାନନବାଳା ପଟ୍ଟନାୟକ ଏବଂ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର