ଭୁବନେଶ୍ବର : ମହିଳା କମିସନ୍ ସଦସ୍ୟା ତିଳୋତ୍ତମା ନାୟକଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର ମାମଲାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ମହିଳା କମିସନ୍ ମହିଳାଙ୍କୁ ସୁରକ୍ଷା ଦେବା କଥା। କିନ୍ତୁ ଖୋଦ୍ କମିସନ୍‌ର ସଦସ୍ୟା ଶାସକ ଦଳ ବିଧାୟକଙ୍କ ଦ୍ବାରା ଦୁର୍ବବ୍ୟବହାରର ଶୀକାର ହେଉଛନ୍ତି। ଏଥିରେ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଏପରି ବ୍ୟବହାର ଦେଶର ଆଇନ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ। କିନ୍ତୁ ଏ ପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହି ମାମଲାରେ ମହିଳା କମିସନ୍‌ଙ୍କ ତରଫରୁ ସଂପୃକ୍ତ ବିଧାୟକଙ୍କୁ ତୁରନ୍ତ ନୋଟିସ୍ ପଠାଇବା ଉଚିତ। କିନ୍ତୁ ମହିଳା କମିସନ୍ ଚୁପ୍ ହୋଇ ବସିଛି। କମିସନ୍ ସଦସ୍ୟା ତିଳୋତ୍ତମା ନାୟକ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବାକୁ ଯାଇଥିଲେ ବି ସାକ୍ଷାତ କରିପାରି ନ ଥିଲେ। ଏହା ରାଜ୍ୟ ସରକାରଙ୍କ ମାଆକୁ ସମ୍ମାନ ଓ ମହିଳା ସଂରକ୍ଷଣ ସ୍ଲୋଗାନ୍‌ର ଅସଲ ସ୍ବରୂପ ପଦାରେ ପକାଉଛି। ତୁରନ୍ତ ବିଧାୟକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ନିୟତି ଗିରି, କାନନବାଳା ପଟ୍ଟନାୟକ, କସ୍ତୁରୀ ମିଶ୍ର ଓ ସୁନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।