ବିଜେପି ମହିଳା ମୋର୍ଚା-ପୁଲିସ ଧସ୍ତାଧସ୍ତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି‌ରେ ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ବର : ପୁରୀରେ ପୁଲିସ କ୍ବାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ବିଜେପି ମହିଳା ମୋର୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା। ପୂର୍ବାହ୍ନରେ ମୋର୍ଚାର ଶତାଧିକ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିଥିଲେ। ତେବେ ପୁଲିସ ବାଧା ଦେବାରୁ ସେମାନେ ବିମାନବନ୍ଦର ଛକ ନିକଟରେ ବସି ରହି ପ୍ରତିବାଦ ଜଣାଇଥିଲେ। ଏହି ମହିଳା ବିକ୍ଷୋଭକାରୀଙ୍କୁ ଆୟତ୍ତ କରିବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏହି ସମୟରେ ପୁଲିସ୍‌ ଓ ବିକ୍ଷୋଭକାରୀ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମହିଳାଙ୍କ ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ କଠୋର ଆଇନ ଆଣିବା ପାଇଁ ସେମାନେ ଦାବି କରିଥିଲେ।

ବିଜେପି ମହିଳା ମୋର୍ଚା ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଦିନକୁ ପ୍ରାୟ ୬/୭ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଗତ ୬ ମାସରେ ରାଜ୍ୟରେ ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳି ପାରିଛି। ଏଥିରୁ ପୁଲିସ ପ୍ରଶାସନ ଅପରାଧୀଙ୍କୁ ଧରିବାରେ ଯେ ସଂପୂର୍ଣ୍ଣ ବିଫଳ, ତାହା ସ୍ପଷ୍ଟ ହେଉଛି। ନିକଟରେ ପୁରୀ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଜଣେ ପୁଲିସ କନେଷ୍ଟବଳ ବହିଷ୍କୃତ ହୋଇଥିଲେ ହେଁ ତାଙ୍କ ବିରୋଧରେ କି’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମୋର୍ଚା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। କର୍ମଚାରୀ ଯଦି ବହିଷ୍କୃତ ହୋଇଛନ୍ତି, ତେବେ ତାଙ୍କ ପାଖରେ ପୁଲିସ ବିଭାଗର ଆଇଡି କାର୍ଡ କିଭଳି ରହିଲା? ଦୁଷ୍କର୍ମ ହୋଇଥିବା ସରକାରୀ କ୍ବାର୍ଟର୍‌କୁ ପୁଲିସ ଏ ପର୍ଯ୍ୟନ୍ତ ସିଜ୍ କରିନାହିଁ କାହିଁକି? ସେହିପରି ରାଇରଙ୍ଗପୁରଠାରେ ଜଣେ ଅଧ୍ୟାପିକା ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନ ପାଇ ଆତ୍ମହତ୍ୟା କରି ରାଜ୍ୟ ସରକାର, ପୁଲିସ ପ୍ରଶାସନ ଓ ଗୃହ ବିଭାଗର ଅପାରଗତାକୁ ଲୋକଲୋଚନକୁ ଆଣିଛନ୍ତି। ଏସବୁ ଘଟଣା ପରେ ମଧ୍ୟ ନାରୀ ସମ୍ମାନ କଥା ଉଠାଉଥିବା ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ସେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ମୋର୍ଚା ପ୍ରଶ୍ନ କରିଛି।

ଏହି ବିକ୍ଷୋଭରେ ବିଜେପି ରାଜ୍ୟ ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ନିୟତି ଗିରି, ସୁଷମା ବିଶ୍ବାଳ, କସ୍ତୁରି ମିଶ୍ର, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, ପ୍ରତିଭା ଶତପଥୀ, ସୁବାସିନୀ ପୃଷ୍ଟି, ମନ୍ଦାକିନୀ ପାତ୍ର, ଶଶି ରଥ, ମଧୁସ୍ମିତା ଖୁଣ୍ଟିଆ, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ଜ୍ୟୋତି ମହାପାତ୍ର, ଚିତ୍ରଲେଖା ମହାନ୍ତି, ପ୍ରବୀଣା ଭଞ୍ଜଦେଓ ଓ ସୁନନ୍ଦା ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର