ସ୍ବୟଂ ସହାୟିକା ଗୋଷ୍ଠୀର ଉତ୍ପାଦ ପାଇଁ ବଜାର ସୁବିଧା ମିଳିବା ଦରକାର: ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭୁବନେଶ୍ବର : ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣ କେବଳ ଭାଷଣବାଜିରେ ଚଳିବ ନାହିଁ। ସେମାନଙ୍କ ନିର୍ମିତ ଉତ୍ପାଦକୁ ବଜାରରେ ପହଞ୍ଚାଇବା ଦରକାର। ଉତ୍ପାଦ ବିକ୍ରି ହେଲେ ଏସ୍‌ଏଚ୍‌ଜି ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହୋଇପାରିବେ। ଫଳରେ ସମାଜର ମୁଖ୍ୟ ଅର୍ଥନୈତିକ ସ୍ରୋତରେ ସେମାନେ ସାମିଲ ହୋଇପାରିବେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ମୋର୍ଚ୍ଚା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଦଳର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟା ରାହତକର୍‌।

ଶ୍ରୀମତୀ ରାହତ୍‌କର୍‌ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ୫ ଟ୍ରିଲିୟନ୍‌ ଡଲାର୍‌ରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମହିଳାମାନେ ଅର୍ଥନୀତିରେ ଭାଗିଦାରୀ ହେଲେ ଦେଶର ବିକାଶ ସମ୍ଭବ ହୋଇପାରିବ। ମୋଦୀ ସରକାର ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଛନ୍ତି। ମୁଦ୍ରା ଯୋଜନାରେ ସୁଲଭ ଋଣ ବ୍ୟବସ୍ଥା ବି କରାଯାଇଛି। ଷ୍ଟାର୍ଟଅପ୍‌ ଜରିଆରେ କେନ୍ଦ୍ର ସରକାର ଗାଁ ଓ ସହରରେ ଏମ୍‌ଏସ୍‌ଏମ୍‌ଇ, ଭିତ୍ତିଭୂମି, ବୟନ, ପ୍ରଯୁକ୍ତି ଓ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ବ ଦେଇଥିବା ସେ କହିଥିଲେ।

ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ସୀମନ୍ତିନୀ ଜେନା, କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକଙ୍କ ସମେତ ରାଜ୍ୟ ମହିଳା ଅଧିକାରୀ ଓ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର