୫ରେ ସବୁ ଜିଲ୍ଲାପାଳ ଅଫିସ୍‌ ଘେରିବ ବିଜେପି ମହିଳା ମୋର୍ଚ୍ଚା

ସ୍ମିତାରାଣୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ, କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ୍ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଜୋର୍‌ଦାର୍ କରିବ। ଆସନ୍ତା ୫ ତାରିଖରେ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ କରାଯିବ। ଏହା ସହ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ୍‌ର ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ମଧ୍ୟ ଦଳ ଦାବି କରିଛି।

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ଏ ପର୍ଯ୍ୟନ୍ତ ଚୁପ୍ ହୋଇ ବସିଛନ୍ତି। ପୁଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ଅନ୍ୟ ପଟେ ଯାଜପୁର ଏସ୍‌ପି ବୃତ୍ତିଗତ ତଦନ୍ତ ନ କରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରିଛନ୍ତି। ଶାସକ ଦଳ ଚାପରେ ପୁଲିସ ଘଟଣାକୁ ଚପାଇ ଦେବାକୁ ଅପଚେଷ୍ଟା କରୁଛି। ମହିଳା କମିସନ୍ ଅଧ୍ୟକ୍ଷା ତଦନ୍ତ ନ କରି କେସ୍ ସରିଗଲାଣି ବୋଲି କହି ମହିଳା ସମାଜକୁ ନିନ୍ଦିତ କରିଛନ୍ତି। ତେଣୁ ସ୍ମିତାରାଣୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ, ଏସ୍‌ପି ଓ ମହିଳା କମିସନ୍ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି ନେଇ ମହିଳା ମୋର୍ଚ୍ଚା ୫ ତାରିଖରେ ସବୁ ଜିଲ୍ଲାରେ ବିକ୍ଷୋଭ କରିବ।

ଶ୍ରୀମତୀ ପରିଡ଼ା ଆହୁରି କହିଛନ୍ତି, ବିଜେଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ୍‌ର ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପଦୋନ୍ନତିର ଲୋଭ ଦେଖାଇ ସବୁବେଳେ ସେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରୁଥି‌ଲେ। ମହିଳା ଜଣଙ୍କ ପୁଲିସ ପାଖରେ ଅଭିଯୋଗ କଲେ ବି ଶାସକ ଦଳ ଚାପରେ ପୁଲିସ ପଦକ୍ଷେପ ଗ୍ରହଣ କରୁ ନ‌ାହିଁ। ତେଣୁ ୫ ତାରିଖରେ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କେନ୍ଦ୍ରାପଡ଼ାରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବା ସହ ପୀଡ଼ିତା ଓ ତାଙ୍କ ପରିବାର ସହ ସାକ୍ଷାତ କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର