ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ସିଇଓଙ୍କୁ ଫେରାଦ କଲା ବିଜେପି

ଭୁବନେଶ୍ୱର : ଉପନିର୍ବାଚନ ପ୍ରଚାରବେଳେ ଶାସକ ଦଳର ମନ୍ତ୍ରୀ ଓ ନେତା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି। ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜୁ ଛାତ୍ର ସମ୍ମିଳନୀରେ ଯୋଗ ଦେଇ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି)ଙ୍କ ନିର୍ଦ୍ଦେଶାବଳୀକୁ ଉଲଂଘନ କରିଛନ୍ତି। ତାଙ୍କ ବିରୋଧରେ ମହାମାରୀ ଆଇନ ଅନୁଯାୟୀ ଅପରାଧିକ ମାମଲା ଋଜୁ କରାଯାଉ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ଏଭଳି ଦାବି ଥିବା ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହାସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ ଶ୍ରୀ ସ୍ବାଇଁ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସମ୍ମିଳନୀ କକ୍ଷରେ ଏକାଠି କରାଇ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଫଳତା ସମ୍ପର୍କରେ ସମୀକ୍ଷା କରୁଥିଲେ। ମହାମାରୀ ଓ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ନିର୍ବାଚନ ସଭା ପାଇଁ ଗୋଟିଏ ହଲ୍‌ରେ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ଆଣିବା ଦରକାର। କିନ୍ତୁ ମନ୍ତ୍ରୀ ବିନା ଅନୁମତିରେ ସମ୍ପୃକ୍ତ ହଲ୍‌ରେ ୧ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଯାହାକି କୋଭିଡ୍‌ ଗାଇଡ୍‌ଲାଇନ୍‌ର ଖୋଲାଖୋଲି ଉଲଂଘନ। ଘଟଣାରେ ଉଭୟ ଏସ୍‌ଆର୍‌ସି ଓ ସିଇଓ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି। ଏ ସମସ୍ତ ଘଟଣାର ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପ୍ରଦାନ କରିଛି।

ବିଜେପି ଆହୁରି ଦର୍ଶାଇଛି, ପୂର୍ବରୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଖୋଦ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରିଥିଲେ। ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେବା ସହିତ ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି। ବିଜେପିର ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର