ବିଜେଡି ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର ପାଇଁ ଶାସକ ବିଜେଡି ସମସ୍ତ ପ୍ରକାରର ହୀନ ଉଦ୍ୟମ ଜାରି ରଖିଛି । ମିଛ ପ୍ରତିଶ୍ରୁତିଠୁ ଆରମ୍ଭ କରି ମଦ ଓ ଟଙ୍କା ବଣ୍ଟନ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାର ଅପପ୍ରୟାସ କରୁଛନ୍ତି। ଏ ସମସ୍ତ ପ୍ରସଙ୍ଗରେ କିଛି ସରକାରୀ କର୍ମଚାରୀ ଶାସକ ଦଳ ସପକ୍ଷରେ ପ୍ରଚାର କରିବା ସହ ସୁରକ୍ଷା ପ୍ରଦାନ କରୁଛନ୍ତି। ‘ଧରା ନ ପଡ଼ିଲେ ଭଲ, ଧରା ପଡ଼ିଲେ ସରକାରୀ ବାବୁମାନେ ସୁରକ୍ଷା ଦେବା ପାଇଁ ଅଛନ୍ତି’। ଏହି ଧାରାରେ ବିଜେଡି କର୍ମୀମାନେ ସମସ୍ତ ପ୍ରକାରର ବେଆଇନ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭି‌େଯାଗ କରିଛି।

ବିଜେପି ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି ଯେ,ଗତ କାଲିର ୩ଟି ଘଟଣା ଶାସକ ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛି। ଡାବୁଗାଁ ବିଧାୟକ ମ‌େନାହର ଗାନ୍ଧାରୀ ଆଚରଣ ବିଧି ଉଲ୍ଲଂଘନ କରି ଗାମୁଛା ଓ ଶାଢ଼ୀ ବାଣ୍ଟିବାବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ବାଧ୍ୟବାଧକତାରେ ଗାଡ଼ି ଜବତ ହେବା ଏବଂ ପରେ ପୁଲିସ ଛାଡ଼ିଦେବା ଏହାର ଜ୍ବଳନ୍ତ ଉଦାହରଣ।

ଏହି ପ୍ରତିନିଧି ଦଳରେ ମୁଖପାତ୍ର ସୋନାଲି ସାହୁ, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସୁଜିତ କୁମାର ଦାସ ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର