ରାଜ୍ୟପାଳଙ୍କ ନିକଟରେ ଫେରାଦ ‌ଦେଲେ ବିଜେପି : ‘କେନ୍ଦ୍ରୀୟ ଯୋଜନାକୁ ବିଜେଡି ନିଜ ନାଁରେ ବ୍ରାଣ୍ଡିଂ କରୁଛି’

ଭୁବନେଶ୍ବର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରୁନାହାନ୍ତି। ରାଜ୍ୟବ୍ୟାପୀ ଏହି ଯୋଜନାରେ ଶାସକ ବିଜେଡି ବ୍ୟାପକ ଦୁର୍ନୀତି ଚଳାଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିଚାଲିଛି। ଏମିତି ଅଭିଯୋଗ ଆଣି ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଫେରାଦ ଜଣାଯାଇଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ ଅଭି‌େଯାଗ ହୋଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଏସ୍‌ଇସିସି ଅନୁଯାୟୀ ହୋଇଥିବା ବେଳେ ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରେ ପଛରେ ସାମିଲ କରାଯାଇଛି। ଗରିବ ଅସହାୟ ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଘର ମିଳିବା ନେଇ ବ୍ୟବସ୍ଥା ଥିବା ବେଳେ ଶାସକ ବିଜେଡି ଚଞ୍ଚକତା କରି ନିଜର କର୍ମୀ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ନାଁକୁ ପକ୍କା ଘର ଯୋଜନାରେ ସାମିଲ କରିଛି। ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର। ଏହା ବିରୋଧରେ ପ୍ରତିବାଦ କରିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬-୧୭ରେ ୪,୭୭୬.୦୯ କୋଟି, ୨୦୧୭-୧୮ରେ ୫,୮୧୦.୩୩ କୋଟି, ୨୦୧୮-୧୯ରେ ୪,୫୭୭.୩୫ କୋଟି, ୨୦୨୦-୨୧ରେ ୩,୦୫୬.୭୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ବଡ଼ ଅକ୍ଷରରେ ବିଜୁ ପକ୍କା ଘର ଷ୍ଟିକର ମରାଯାଉଛି। କେନ୍ଦ୍ରୀୟ ଅର୍ଥରେ ହେଉଥିବା ଯୋଜନାକୁ ରାଜ୍ୟ ସରକାର ପ୍ର.ଆ.ଯୋ. ଲେଖିବା ସହ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଚିଠି ଲେଖି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। କେନ୍ଦ୍ରର ଫ୍ଲାଗସିପ୍ ପୋଗ୍ରାମକୁ ରାଜ୍ୟ ସରକାର କୋ-ବ୍ରାଣ୍ଡିଂ ନ କରି ଫଳକରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବାକୁ ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ବୁଦ୍ଧାନ ମୁର୍ମୁ, ନବଚରଣ ମାଝୀ, ସୁକାନ୍ତ ନାୟକ, ଜୟନ୍ତ ଷଡ଼ଙ୍ଗୀ, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡ଼ା, ସୁକେଶୀ ଓରାମ ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର