କୃଷି ଓ କୃଷକଙ୍କ ସହ ସବୁ ବେଳେ ବିଜେପି ରହିଛି: ରାଜ୍ୟ ଉପସଭାପତି

ଜୟପୁର: କୃଷି ଓକୃଷକଙ୍କ ସହ ରହିଛି ବିଜେପି। ଚାଷୀଙ୍କର ସବୁ ଉତ୍ପାଦିତ ଧାନ କିଣିବା ପାଇଁ ରାଜ୍ୟସରକାରଙ୍କୁ କେନ୍ଦ୍ର ସରକାର ଆଗୁଆ ଅଗ୍ରୀମ ଟଙ୍କା ଦେଇସାରିଛନ୍ତି। ରାଜ୍ୟ ସରକାର ଟାର୍ଗେଟ ଆଦି ବାହାନା କରି ଚାଷୀଙ୍କ ଧାନ କିଣୁନି। କେତେ ଜଣ ପଂଜିକରଣ କରିଛନ୍ତି , କେତେ ଧାନ ଅମଳ ହେବ କଣ ସରକାର ଜାଣି ନାହାନ୍ତି। ଚାଷୀଙ୍କୁ ଏଭଳି ଭୁଆଁ ବୁଲାଇ ପୂର୍ବରୁ ୭ଦିନ ଏବଂ ଧାନ ଉଠାଇବାକୁ ଆଉ କେତେ ଦିନ ମଣ୍ଡିରେ କାଟିବାକୁ ପଡ଼ିବ ତାହା ସ୍ପଷ୍ଟ ନୁହେଁ। ଏଭଳି ଚାଷୀଙ୍କୁ ହଇରାଣ ହରକତ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ।

ଧାନ ପରିବହନ, ଅଖାବସ୍ତା, ଧାନ କିଣିବା, ମଣ୍ଡିରେ ସୁବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାର ସହାୟତା ଦେଇ ଆସୁଛି। ଏଥି ପାଇଁ ଆରଏମସି ଓ ଲ୍ୟାମ୍ପ କମିଶନ ପାଉଛନ୍ତି। ଏହା ବାଦେ ବି ମଣ୍ଡି ସୁବ୍ୟବସ୍ଥା କରି ପାରି ନାହାନ୍ତି। ମଣ୍ଡି ଗୁଡିକରେ ସୁରକ୍ଷା ବ୍ୟବସ୍ଥା ନାହିଁ। କୋଟି କୋଟି ଟଙ୍କାର କମିଶନ ପାଇ ଆଜି ବି ପାଚେରୀ ରହି ଆରଏମସି ର ନିଜସ୍ବ ମଣ୍ଡି କି ସିମେଣ୍ଟ ପିଣ୍ଡି ନାହିଁ। ଓଜନ କରିବା ବଡ଼ ୱେ ମେସିନ୍ ନାହିଁ। ଅତ୍ୟାଧୁନିକ ବ୍ୟବସ୍ଥା ହୋଇନି। ଏପରିକି ବେସରକାରୀ ଜମିରେ ବି ମଣ୍ଡି କରାଯାଇଛି। ଏହା ସହ ଟୋକେନ୍ ପାଇଥିବା ଏବଂ ଧାନ ଦେଇସାରିଥିବା ବହୁ ଚାଷୀଙ୍କର ଟୋକେନ୍ ଡିଲିଟ୍ ବାହାନାରେ ବି ଚାଷୀ ମାନେ ଧାନର ଟଙ୍କା ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ।

ଏମଏସପି ଦରରେ ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କା ନ ଦେଇ ଅନ୍ୟ ପକ୍ଷରେ ରାଜ୍ୟ ସରକାର ସ୍ବାମୀନାଥନ କମିସନକୁ ଲାଗୁ କରିବାକୁ କହିବା କେତେ ଦୁର ଯୁକ୍ତିଯୁକ୍ତ। ରାଜ୍ୟ ସରକାର ଧାନ କିଣିବା ପାଇଁ ଜିଲ୍ଲାଗୁଡ଼ିକୁ ଟାର୍ଗେଟ କଣ ଦେଉଛନ୍ତି, କେଉଁ ଜିଲ୍ଲାରେ କେତେଜମିରେ ଖରିଫ ଚାଷ ହୋଇଛି ଏବଂ କେତେ ଉତ୍ପାଦନ ହେଉଛି, କେତେ ଚାଷୀ ପଂଜୀକରଣ କରିଛନ୍ତି ଜାଣି ନାହାନ୍ତି କି। ଚାଷୀଙ୍କ ସହ ଏହି ଖେଳ ସରକାର ତୁରନ୍ତ ବନ୍ଦ କରନ୍ତୁ। କୋରାପୁଟ ଜିଲ୍ଲାରେ ୧୦ହଜାର ୫୧୨ଜଣ ଚାଷୀଙ୍କ ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଠା ନ ଗଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ।

କେନ୍ଦ୍ର ସରକାର ସବୁ ବେଳେ କୃଷି ଓ କୃଷକଙ୍କ ସହ ରହିଛି ବୋଲି ମଣ୍ଡି ଚାଳ ଅଭିଯାନର ରାଜ୍ୟ ସଂଯୋଜକ ପବିତ୍ର ଦାଶ କହିଥିଲେ। କ୍ରୟକାରୀ ସଂସ୍ଥା ରହିଥିବା ବେଳେ ମିଲର୍ସଙ୍କୁ ଏଥିରେ ପସାଇ ରାଜ୍ୟସରକାର କିଛି ଗେମ୍ ପ୍ଲାନ୍ କରି ଚାଷୀଙ୍କୁ ଅଭାବିବିକ୍ରିର ଶିକାର ହେବାକୁ ବାଧ୍ୟ କରୁଛି। ରାଜ୍ୟସରକାର ହିଁ କଟନିଛଟନି କରିବାକୁ ପରୋକ୍ଷରେ ବାଧ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ। ଧାନ କିଣାରେ ମିଲର୍ସ କେବଳ ଧାନ ଉଠାଇ ଚାଉଳ ଦେବା କାମ।

ତେବେ ମିଲର୍ସଙ୍କୁ ଧାନ କିଣାରେ ପ୍ରମୁଖ ଭୁମିକା ଦେଇ ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି କହିଥିଲେ। କୋରାପୁଟ ଜିଲ୍ଲାର ଚାଷୀଙ୍କ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସେ ଅଲୋଚନା କରିଥିବା ବେଳେ ତୁରନ୍ତ ସବୁ ଧାନ ଉଠାଇବାକୁ ସେ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀର ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଗୌତମ ସାମନ୍ତରାୟ, ବିପଦଭଂଜନ ଦାଶ, ପୂର୍ବତନ ସଭାପତି ବିଜୟ ମିଶ୍ର, କୁମୁଦ ସାଉଁନ୍ତା, କର୍ପର ହନ୍ତାଳ, ଜିଲ୍ଲାପରିଷଦ ସଭ୍ୟ ରାମ ବାବୁ,ନଗର ସଭାପତି ସାଧୁଚରଣ ଦାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର