ବ୍ରଜରାଜନଗର ଉପ ନିର୍ବାଚନ ଲାଗି ରାଜ୍ୟ ବିଜେପିର ମାନସ ମନ୍ଥନ

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଦଳର ମାନସ ମନ୍ଥନ ଚାଲିଛି।  ବିଜେପି ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ୱରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବ୍ରଜରାଜନଗର ଉପ ନିର୍ବାଚନ ପାର୍ଥୀ ଚୂଡାନ୍ତ ନେଇ ହେଉଛି ଆଲୋଚନା | ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଧାରଣ ସଂପଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ମନମୋହନ ସାମଲ, ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଦିନଠାରୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ ୧୧ରେ ନାମାଙ୍କନପତ୍ର ଦାଖଲ ଶେଷ ହେବାକୁ ଥିବାବେଳେ ୧୨ରେ ନାମାଙ୍କନପତ୍ର ଯାଞ୍ଚ, ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, ୩୧ରେ ଭୋଟ୍‌ ଭେଟ୍‌ ଗ୍ରହଣ, ଜୁନ୍‌ ୩ରେ ଭୋଟ୍‌ ଗଣତି ଏବଂ ଜୁନ୍ ୫ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଥିଲେ ଯେ ଚଳିତ ନିର୍ବାଚନରେ ଅପରାଧ ପୃଷ୍ଠଭୂମି ସଂପର୍କରେ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମୟ ସୀମା ମଧ୍ୟରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରଚାର କରିବେ। ରାଜନୈତିକ ଦଳମାନେ ମଧ୍ୟ ନିଜ ଦଳ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ବିବରଣୀ ନିର୍ବାଚନ ପ୍ରଚାର ସମୟରେ ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବେ। କୋଭିଡ୍ ଦୃଷ୍ଟିରୁ ପ୍ରତି ବୁଥ୍‌ରେ ସର୍ବାଧିକ ୧୨୫୦ଜଣ ଭୋଟର ମତଦାନ ନିମନ୍ତେ ଆ‌‌ୟୋଗ ସ୍ଥିର କରିଥିବାରୁ ଅତିରିକ୍ତ ୨୨ଟି ବୁଥ୍‌ କରାଯାଇଛି। ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ଘରେ ଭୋଟ୍‌ ଦେଇପାରିବେ।

ସମ୍ବନ୍ଧିତ ଖବର