ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ, ପାଦ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ

ବେତନଟୀ : ସମ୍ମାନ ଓ କୃତଜ୍ଞତାର ଆଜି ଆଉ ଏକ ଝଲକ ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସଫେଇ କର୍ମଚାରୀଙ୍କ ପାଦ ଧୋଇଦେଇଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇ ଉଦାହରଣ ସୃଷ୍ଟି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଆଜି ମୟୂରଭଂଜ ଗସ୍ତ ଥିଲା। ଏହି ଅବସରରେ ସେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତନଟୀ ସଂସ୍କୃତି ଭବନରେ ଆୟାଜିତ ଦଳୀୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ସଭାରେ ଏମିତି ଏକ କାର୍ଯ୍ୟ କଲେ, ଯାହା ସମସ୍ତଙ୍କ ପାଇଁ ଉଦାହରଣୀୟ ହୋଇପାରିଛି। ସ୍ଥାନୀୟ ପରମ୍ପରା ଅନୁସାରେ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ନାଗରିକଙ୍କ ପାଦ ଧୋଇ ଦେଇଥିଲେ। ଏହି ଅବସରରେ ସେ ଅସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ପାଦ ଧୋଇଥିଲେ। ତେବେ ଶ୍ରୀ ଷଡ଼ଙ୍ଗୀଙ୍କ ଏହି କାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମନେ ପକାଇ ଦେଇଥିଲା। ଗତ ଫେବ୍ରୁଆରି ୨୪ ତାରିଖ ଦିନ ମୋଦୀ ଉତ୍ତର‌ପ୍ରଦେଶର ପ୍ରୟାଗରାଜଠାରେ ଆୟୋଜିତ ‘ସ୍ବଚ୍ଛ କୁମ୍ଭ, ସ୍ବଚ୍ଛ ଆଭାର’ କାର୍ଯ୍ୟକ୍ରମରେ ଯୋଗଦେଇ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲେ। ମୋଦୀଙ୍କୁ ଅନୁସରଣ କରି ଶ୍ରୀ ଷଡ଼ଙ୍ଗୀ ଆଜି ଅନୁରୂପ ଭାବେ କାର୍ଯ୍ୟ କରିଥିବାରୁ ଆଜି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବରିଷ୍ଠଙ୍କୁ ଭକ୍ତି ତଥା ସମାଜ ଓ ଭାରତମାତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କ କର୍ତବ୍ୟ ଏବଂ ବିଜେପି ଏହି ମାନସିକତାକୁ ଆଧାର କରିଛି ବୋଲି ଦଳୀୟ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।

ମୟୂରଭଂଜ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ପରିଡ଼ାଙ୍କ ତତ୍ତ୍ବାବଧାନରେ ତଥା ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ଉପ-ସଭାପତି ସୁନୀଲ ଦାଶ, ଉପ-ସଭାପତି ପରେଶ ଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ ଏବଂ ସମ୍ମାନିତ ଅତିଥି ଭାବେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ୩୭ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି, ସମ୍ପାଦକ ଲକ୍ଷ୍ମୀଧର ହାଉଡ଼ା, ବେତନଟୀ ବ୍ଲକ୍‌ ଅଧ୍ୟକ୍ଷ କାଳୀଚରଣ ସୋରେନ, ବ୍ଲକ୍‌ ଉପାଧ୍ୟକ୍ଷା ଅମ୍ବିକା ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବେତନଟୀରେ ପହଞ୍ଚିବା ପରେ ଏକ ପଦଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ସେଠାରେ ବିଜେପି କର୍ମୀଙ୍କ ସହ ବେତନଟୀ ବରିଷ୍ଠ ନାଗରିକ ସଂଘ, ବ୍ୟବସାୟୀ ସଂଘ, ପଦ୍ମମାଳି ମହିଳା ସଂଗଠନ ଓ ଅ-ଆ କ୍ଲବ୍‌ ପକ୍ଷରୁ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର