ବିଜେପିରେ ମିଶ୍ରଣ ପର୍ବ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଦିଲୀପ ନାୟକ ଓ ବରିଷ୍ଠ ନେତା ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ ଜଣାଇଥିଲେ।

ଏହି ଅବସରରେ ସଭାପତି ଶ୍ରୀ ମହାନ୍ତି କହିଥିଲେ ଶାସକ ବିଜେଡିର ଅହଂକାର ଆଜି ସାଧାରଣରେ ପ୍ରତିଫଳିତ ହେଉଛି। କଳବଳକୁ ବ୍ୟବହାର କରି ଶାସକ ବିଜେଡି ଯେଉଁ ଭଳି ଭାବେ ସ୍ବେଚ୍ଛାଚାରୀ ଶାସନ ଜାରି ରଖିଛି ତାହାକୁ ରାଜ୍ୟବାସୀ କେବେ ହେଲେ ବରଦାସ୍ତ କରିବେ ନାହିଁ। ଆଇନ ବାଟରେ ଛିଡ଼ା ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ବାଧା ସୃଷ୍ଟି କରାଯାଉଛି। ରାଜ୍ୟର ମା’ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପରୋଚନାରେ ରାଜ୍ୟରେ ହିଂସା ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ମହିଳାଙ୍କ ଉପରେ ହିଂସା ଓ ନିର୍ଯାତନାରେ ରାଜ୍ୟ ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ତେଣୁ ଆଗାମୀ ଦିନରେ ରାଜ୍ୟବାସୀ ନିଶ୍ଚିତ ଭାବେ ଏହାର ଦୃଢ଼ ଜବାବ ଦେବେ ବୋଲି ସେ କହିଥିଲେ।

ମିଶ୍ରଣ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଓବିସି ମୋର୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ରମାରଂଜନ ବଳିଆରସିଂହ, ଠାକୁର ରଣଜିତ ଦାସ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର